ନାବାଳିକା ଅପହରଣକୁ ୪୪ ଦିନ, ଥାନା ଘେରାଉ କଲା ବିଜେପି

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଦଳିତ ନାବାଳିକା ଅପହରଣ ଘଟଣାରେ ୪୪ଦିନ ବିତିଯାଇଥିବା ବେଳେ ପୁଲିସ ନୀରବତା ନେଇ ବିଜେପି ମହିଳା ମୋର୍ଚ୍ଚା ଚମ୍ପୁଆ ଥାନା ଘେରାଉ କରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କୁଟୁରାପୋଷି ପଞ୍ଚାୟତ ଅଞ୍ଚଳର ଜଣେ ଦଳିତ ନାବାଳିକାକୁ ସେଠାରେ କାଠ କାମ କରୁଥିବା ଜଣେ ବ୍ୟକ୍ତି ପ୍ରଲୋଭନ ଦେଖାଇ ଜୋର ଜବରଦସ୍ତ ବିଳମ୍ବିତ ରାତିରେ ଘରୁ ଅପହରଣ କରି ପଡ଼ୋଶୀ ଝାରଖଣ୍ଡକୁ ନେଇଯାଇ ଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ୪୪ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ପରିବାର ଲୋକେ ବାରମ୍ବାର ଏନେଇ ଏସ୍‌ପିଙ୍କୁ ଭେଟିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା ।

ତେଣୁ ବାଧ୍ୟ ହୋଇ ତାଙ୍କ ଅଞ୍ଚଳର ନେତା ମୁରୁଲି ଶର୍ମାଙ୍କୁ ଭେଟି ଗୁହାରି ଜଣାଇଥିଲେ । ଫଳରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଆଜି  ଚମ୍ପୁଆ ଥାନା ଘେରାଉ କରିଥିଲେ । ବିଜେପି ନେତା ମୁରୁଲି ଶର୍ମା ଓ ଜିଲା ମହିଳା ଶୋଭାନେତ୍ରୀ ମମତା ସିଂଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଆସି ଚମ୍ପୁଆ ଥାନା ଘେରାଓ କରାଯାଇଥିଲା। ।

ଏହି ସମୟରେ ବିଜେପି କର୍ମୀମାନେ ଥାନା ଭିତରେ ଜୋର ଜବରଦସ୍ତ ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ତାଙ୍କୁ ଅଟକାଇଥିଲା ଫଳରେ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥ-୨୦ ଅବରୋଧ କରାଯାଇ ଥିଲା । ସମସ୍ତଙ୍କର ଗୋଟିଏ ଦାବିଥିଲା ଦଳିତ ନାବାଳିକାକୁ ଶୀଘ୍ର ଉଦ୍ଧାର କରି ତାଙ୍କ ବାପା ମାଙ୍କୁ ହସ୍ତାନ୍ତର କରାଯାଉ । ପୁଲିସ ୭ଦିନ ମଧ୍ୟରେ ନାବାଳିକାକୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛି।  ଯଦି ସମ୍ପୃକ୍ତ ନାବାଳିକାକୁ ପୁଲିସ ଉଦ୍ଧାର ନକରେ ତେବେ ବିଜେପି ପକ୍ଷରୁ ପୁନର୍ବାର ରାଜରାସ୍ତା ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।