ଷ୍ଟେସନରେ ହୁତୁହୁତୁ ହୋଇ ଜଳିଲା ଟ୍ରେନ୍ ଇଞ୍ଜିନ୍

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଟ୍ରେନଟି ବଡ଼ବିଲ୍ ଷ୍ଟେସନ୍ ଦେଇ ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲ। ଯାହାକୁ ନେଇ ସେଠାକାର କର୍ମଚାରୀ ଓ ଷ୍ଟେସନରେ ଥିବା କିଛି ଲୋକେ ଭୟଭୀତ ହୋଇ ବାହାରକୁ ଚାଲିଯାଇଥିଲେ।

ଯାହା ପରେ ତୁରନ୍ତ ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରାଯାଇଥିଲା। ଟ୍ରେନ୍ ଇଞ୍ଜିନରେ ପାଖାପାଖି ୪୦ ମିନିଟ ଧରି ନିଆଁ ଲାଗି ରହିଥିଲା। ଯାହା ଫଳରେ ଇଞ୍ଜିନର ବହୁ ଅଂଶ ପୋଡ଼ିଯାଇଛି। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ଅଧିକାରୀ। ଏହି ଦୁର୍ଘଟଣାରେ କାହାରିକୁ କୌଣସି କ୍ଷତି ହୋଇନାହିଁ।

ଯେତେବେଳେ ନିଆଁ ଲାଗିଲା, ସେହି ସମୟରେ ବଡବିଲ୍ ଷ୍ଟେସନକୁ କୌଣସି ପାସେଞ୍ଜର ଟ୍ରେନ୍ ଆସିନଥିଲା। ଏହି କାରଣରୁ କୌଣସି ଲୋକଙ୍କୁ କ୍ଷତି ହୋଇନାହିଁ। ତେବେ ଯେଉଁ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଛି, ତା’ର ଡ୍ରାଇଭର୍, ଲୋକୋ ପାଇଲଟ୍ ଓ ଆସିଷ୍ଟାଣ୍ଟ ପାଇଲଟ୍ ତୁରନ୍ତ ଟ୍ରେନରୁ ବାହାରି ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।