ଖବର ଉପରେ ଅଙ୍କୁଶ ଲଗାଇବାକୁ ସାରଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ: ବିଭିନ୍ନ ଗଣାମାଧ୍ୟମ ଓ ସୋସିଆଲ ମିଡିଆରେ ନିଜ ବିରୋଧରେ ପ୍ରକାଶ ହେଉଥିବା ସମସ୍ତ ବିଭ୍ରାନ୍ତିକର ଓ ବିକୃତ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ସାରଥୀ ଓରଫ ସନ୍ତୋଷ ରାଉଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ମାମଲାର ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଗଣାମାଧ୍ୟମ ଓ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅନେକ ବିଭ୍ରାନ୍ତିକର ଓ ବିକୃତ ଖବର ପ୍ରସାରଣ କରାଯାଉଛି। ଏହାଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଥିବା ଦର୍ଶାଇ ଏହାକୁ ତୁରନ୍ତ ବନ୍ଦ କରିବାକୁ ସେ ପ୍ରାର୍ଥନା କରିଛନ୍ତି।

ମାମଲାର ବିଚାର ଶେଷ ହେବାଯାଏଁ ଏହି ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ସାରଥୀ ଆବେଦନ କରିଛନ୍ତି। ଏପରିକି ତାଙ୍କ ପକ୍ଷରୁ ଦାଏର ରିଟ ପିଟିସନରେ ସେ ରାଜ୍ୟ ଗୃହ ସଚିବ, ପୋଲିସ ମହାନିଦ୍ଦେର୍ଶକ, କ୍ରାଇମବ୍ରାଞ୍ଚ ଆଇଜି, ପ୍ରେସ କାଉନସିଲ ଅଫ ଇଣ୍ଡିଆ ଏବଂ ପ୍ରେସ ଇନଫରମେସନ ବ୍ୟୁରୋକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି।