ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚନୟରେ ଅନିୟମିତତା ଅଭିଯୋଗ ଆଣିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚୟନରେ ଅନିୟମିତତା ନେଇ ପୂର୍ବରୁ କଂଗ୍ରେସ ଓ ବିଜେପି ଅଭିଯୋଗ କରି ଆସୁଥିଲେ। ବିରୋଧୀଙ୍କ ଏହି ଅଭିଯୋଗରେ ଏବେ ସ୍ୱର ମିଶାଇଛନ୍ତି ଖୋଦ୍ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସହ ଶାସକ ଦଳ ବିଧାୟକ ତଥା ମୁଖପାତ୍ର ପ୍ରତାପ ଜେନା ବି ସମାନ ଅଭିଯୋଗ କରିଛନ୍ତି।

ପୁରୀ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବଞ୍ଚିତ ହୋଇଥିବା କହି ସରକାରଙ୍କ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ଉଠାଇଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ଜାଲ, ଡଙ୍ଗା ପାଇଥିବା ଗରିବ ଚାଷୀଙ୍କୁ ରାସନ କାର୍ଡ ମିଳିନି। ପୁରୀ ଜିଲ୍ଲାର ମତ୍ସଜୀବୀଙ୍କ ପାଇଁ ମୁହଁ ଖୋଲି ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି କୃଷିମନ୍ତ୍ରୀ ମହାରଥୀ। ଖାଦ୍ୟ ସୁରକ୍ଷା ଯୋଜନାରେ ପୁରୀରେ ୧୪ଲକ୍ଷ ହିତାଧିକାରୀ ରାସନ କାର୍ଡ ପାଇବା କଥା। ମାତ୍ର ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ଦେଢ ଲକ୍ଷ ଲୋକ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ହିତାଧିକାରୀ ଚୟନ ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀଙ୍କୁ ସେ ଏଥିପାଇଁ ଦାୟୀ କରିଛନ୍ତି। ତେବେ କିଛି ସ୍ଥାନରେ ହିତାଧିକାରୀ ଚୟନରେ ତ୍ରୁଟିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ସ୍ୱୀକାର କରିଥିଲେ ବି ମହାରଥୀଙ୍କ ମନ୍ତବ୍ୟ ଉପରେ ଚୁପ୍ ରହିଛନ୍ତି।

ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଖାଦ୍ୟ ସୁରକ୍ଷା ଆଇନ। ପ୍ରଥମ ପର୍ଯ୍ୟାୟରେ ନଭେମ୍ୱର ୧୬ରୁ ୧୪ଟି ଜିଲ୍ଲାର ୯୩ଲକ୍ଷ ୩୫ହଜାର ହିତାଧିକାରୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨କୋଟି ୧ଲକ୍ଷ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଉଛି।