ଖଣି ନିଲାମ ନେଇ ଆଲୋଚନା ଲାଗି  ଆସନ୍ତା ୧୫ରେ ବସିବ ସିଇସି ବୈଠକ, ଯୋଗଦେବେ ଓଡ଼ିଶା ସହ ୧୨ଟି ରାଜ୍ୟର ଖଣି ସଚିବ

ନୂଆଦିଲ୍ଲୀ: ସଂଶୋଧିତ ଏମଏମଡିଆର ଆକ୍ଟ ଅନୁସାରେ କେମିତି ଖଣି ନିଲାମ ହେବ ସେ ନେଇ ଅସନ୍ତା ୧୫ ତାରିଖରେ ଦିଲ୍ଲୀରେ କୋର୍ଡିନେସନ କମ୍ ଏମପାୱାରଡ କମିଟି ବା ସିଇସି ବୈଠକ ବସିବାକୁ ଯାଉଛି। ଏହାସହ ଖଣି ଉତ୍ତୋଳନ ଅଞ୍ଚଳର ବିକାଶ ପାଇଁ  ଜିଲ୍ଲାସ୍ତରରେ କେମିତି କାର୍ଯ୍ୟକାରୀ ହେବ ଡ୍ରିଷ୍ଟ୍ରିକଟ୍ ମିନେରାଲ ଫଣ୍ଡ ବା ଡିଏମଏଫ୍ ତାହା ମଧ୍ୟ ଆଲୋଚନା ହେବ। କେନ୍ଦ୍ର ଖଣି ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଇସ୍ପାତ, ଜଙ୍ଗଳ, ପରିବେଶ ସଚିବ, ଆଇବିଏମ ଅଧିକାରୀ, ଓଡିଶା ସମେତ ୧୨ଟି ରାଜ୍ୟର ଖଣି ସଚିବ ଯୋଗଦେବେ। ରାଜ୍ୟର ଖଣି ନିଲାମୀ ନେଇ କ’ଣ ପ୍ରସ୍ତୁତି ରହିଛି ସେ ସମ୍ପର୍କରେ ରାଜ୍ୟ ସରକାର ବୈଠକରେ ମତ ରଖିବେ।

ଖଣି ନିଲାମୀ ନେଇ ୧୨ଟି ରାଜ୍ୟ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ କେନ୍ଦ୍ରକୁ ଅବଗତ କରାଇବେ। ସଂଶୋଧିତ ଏମ୍ଏମଡିଆର ଆକ୍ଟରେ ମିନେରାଲ ରୁଲସ୍ ଅନୁସାରେ ପରିବେଶ ଓ ଜଙ୍ଗଳ ଅନୁମତି ମିଳିବା, ଲିଜ୍ ଅବଧି ସମ୍ପ୍ରସାରଣ ସ୍ଥିତି, ମେଜର ମିନେରାଲ୍ କ୍ଷେତ୍ରରେ ବେଆଇନ ଖଣି ଖନନ ରୋକିବା ପାଇଁ ସ୍ପେଶ ଟେକ୍ନୋଲୋଜିର ବ୍ୟବହାର ଭଳି ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି।

ରାଜ୍ୟରେ ମଧ୍ୟ ଖଣି ନିଲାମୀ ନେଇ ପ୍ରକ୍ରିୟା ବିଳମ୍ୱ ହେବାରେ ଲାଗିଛି। ପ୍ରଥମେ ନଭେମ୍ୱର ଶେଷ ସପ୍ତାହ ତା’ପରେ ଚଳିତମାସ ୧୫ ତାରିଖ ସୁଦ୍ଧା ୧୦ଟି ଖଣି ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ଖଣି ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି। ଏପଟେ ରାଜ୍ୟରେ ୨୦୦୯-୧୦ ଆର୍ଥିକବର୍ଷ ଠାରୁ ୨୦୧୪-୧୫ ପର୍ଯ୍ୟନ୍ତ ଖଣି ରୟାଲଟି, ଜରିମାନା ଓ ଅନ୍ୟ ବାବଦକୁ ୧ହଜାର ୮୮୪ କୋଟି ୮୧ ଲକ୍ଷ ଟଙ୍କାର ରାଜସ୍ୱ ବକୟା ପଡିଛି।