ନିଇତି ବସ୍ତି ଓ ଉଠାଦୋକାନୀ ଉଚ୍ଛେଦ ଚାଲିଛି, ୨୦୧୪ରୁ ୪୯୩ ଏକର ଜମିକୁ ଉଚ୍ଛେଦ କରିପାରୁନି ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ପ୍ରାୟତଃ ସବୁଦିନେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରଶାସନ ପକ୍ଷରୁ ମିଳିତ ସ୍କ୍ୱାର୍ଡ ଗଠନ କରାଯାଇ କେଉଁଠି ବସ୍ତି ତ କେଉଁଠି ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବାବେଳେ ବଡ଼ବଡ଼ିଆଙ୍କ କବଜାରେ ଥିବା ୪୯୩ଏକର ସରକାରୀ ଜମିକୁ ଉଚ୍ଛେଦ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗର ଏହି ୪୯୩.୭୨ଏକର ଜମି ଏବେବି ଜବରଦଖଲରେ ରହିଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ତଥା ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଭୁବନେଶ୍ୱରରେ ମୋଟ ୨୨,୯୦୦ଏକର ଜମି ରହିଛି। ଏଥିରୁ କେତେ ଜମି ବ୍ୟବହାର ନହୋଇ ପଡ଼ିରହିଛି ତା’ର ତଥ୍ୟ ସଂଗ୍ରହ କରାଯାଉଛି।

ତେବେ ଏହି ମୋଟ ଜମି ମଧ୍ୟରୁ ୪୯୩.୭୨୧ଏକର ଜମି ଜବରଦଖଲରେ ରହିଛି। ଏହାକୁ ଉଚ୍ଛେଦ କରିବା ପାଇଁ ଓପିପି ଆକ୍ଟ-୧୯୭୨ ଅନୁଯାୟୀ ଜବରଦଖଲକାରୀଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଉଛି। ସେସବୁ ଜମିରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ୨୦୧୪ ସେପ୍ଟେମ୍ବର ୧୫ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ଗଠନ କରାଯାଇ ସରକାରୀ ଜମି ଜବରଦଖଲମୁକ୍ତ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ୨୦୧୪ ମସିହାରୁ ସାଧାରଣ ପ୍ରଶାସନ ବିଭାଗର ୪୯୩ଏକର ଜମି ଜବରଦଖଲରେ ରହିଥିବା କଥା ଚିହ୍ନଟ ହୋଇଥିବାବେଳେ ରାଜ୍ୟ ସରକାର ଏସବୁକୁ ଜବରଦଖଲମୁକ୍ତ କରିବାରେ କାହିଁକି ସକ୍ଷମ ହୋଇନାହାନ୍ତି । ଗରିବ ଲୋକମାନେ ରହୁଥିବା ବସ୍ତି ଓ ଉଠାଦୋକାନୀଙ୍କ ଉପରେ ଜୁଲୁମ୍ କରି ସେମାନଙ୍କୁ ଜବରଦଖଲମୁକ୍ତ କରୁଥିବା ରାଜ୍ୟ ସରକାର ଏହି ବଡ଼ବଡ଼ିଆଙ୍କ କବଜାରେ ଥିବା ୪୯୩ଏକର ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବେ ନା ଭିତରି ଷଡ଼ଯନ୍ତ୍ର କରି ସେମାନଙ୍କୁ ଶାଗମାଛ ଦରରେ ଟେକି ଦେବେ ତାକୁ ନେଇ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।