ନାକରେ ପାଣି ପିଇଲା ବିଏମସି, ରାଜଧାନୀବାସୀ ଆଶ୍ୱସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୋଧ ଓ ପ୍ରତିବାଦ ପରେ ଶେଷରେ ପଛଘୁଞ୍ଚା ଦେଲା ବିଏମସି ଏବଂ ସ୍ଥଗିତ ରଖିଲା ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ। ନୂଆ ହୋଲ୍ଡିଂ ଟିକସ୍ ଆଦାୟକୁ ନେଇ ରାଜଧାନୀବାସିନ୍ଦା ଓ ବିରୋଧୀ ଦଳଙ୍କ ଲଗାତର ବିରୋଧ ପରେ ଆଜି ଏହି ବର୍ଦ୍ଧିତ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ପ୍ରତାପ ଜେନା। ଏହି ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରଧୀନ ଅଛି। ଅଦାଲତଙ୍କ ରାୟ ବା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ସେ କହିଛନ୍ତି। ଏହି ନିଷ୍ପତ୍ତି ଏବେ ଭୁବନେଶ୍ୱର ବାସିନ୍ଦାଙ୍କୁ ଆଶ୍ୱସ୍ତି ଦେଇଛି।

ଏ‍ବେ ପୂର୍ବ ନିୟମ ମୁତାବକ ଟ୍ୟାକ୍ସ ଆଦାୟ ହେବ। ତେବେ ଯେଉଁମାନେ ନୂଆ ନିୟମ ଅନୁସାରେ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କ କ୍ଷେତ୍ରରେ ବିଚାର କରାଯିବ ବୋଲି ମନ୍ତ୍ରୀ ଦୋହରାଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାଏକ ଫର୍ମୁଲା ବା ବେଞ୍ଚମାର୍କ ମୂଲ୍ୟାୟନକୁ ଆଧାର କରି କରାଯାଇଥିଲା। ଏନେଇ ହାଇକୋର୍ଟରେ ଏକ କେସ୍ ଦାୟର ହୋଇଥିଲା। ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ଏହି ବର୍ଦ୍ଧିତ ହାରରେ ହୋଲ୍ଡିଂ ଟାକ୍ସ ଆଦାୟକୁ ବିରୋଧ କରିଥିଲେ।

କଂଗ୍ରେସ ଓ ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବିରୋଧ ଓ ଆନ୍ଦୋଳନ କରାଯାଇଥିଲା। ରାସ୍ତାରେ ବିଏମସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା ହୋଇଥିଲା। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଲଢ଼େଇ ଆହୁରି ଜୋରଦାର୍ ହେବ ବୋଲି ବିରୋଧୀ ଦଳ ଚେତାବନୀ ଦେଇଥିଲେ।

ସୂଚନାଯୋଗ୍ୟ, ୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡୁଛି। ସେ ସମୟରେ ଟ୍ୟାକ୍ସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ତେବେ ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।