ଲର୍ଣ୍ଣିଂ ଲାଇସେନ୍ସର ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ାଇଛନ୍ତି। ଜୁନ୍ ୩୦, ୨୦୨୧ ଯାଏ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସର ଅବଧି ବଢ଼ିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଟ୍ୱିଟ୍ କରି କହିଛି ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ନେଇଛନ୍ତି ସେମାନେ ଫାଇନାଲ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଏବେ ଧାଡ଼ିରେ ଛିଡ଼ା ହେଉଥିବାର ନଜିର ରହିଛି। ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଯେଉଁମାନଙ୍କର ଅବଧି ୧୮ ମାର୍ଚ୍ଚ ୨୦୨୦ ରହିଛି ସେମାନଙ୍କର ଅବଧି ଏବେ ଜୁନ୍ ୩୦ ଯାଏ ଘୁଞ୍ଚାଇବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେଣୁ ଜୁନ ପରେ ଫାଇନାଲ ଡ୍ରାଇଭିଂ ପରୀକ୍ଷା ହେବ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାରଙ୍କ ପରିବହନ ବିଭାଗ ଗାଡ଼ି ଗୁଡ଼ିକର ଲାଇସେନ୍ସ ଅବଧି ମାର୍ଚ୍ଚ ୩୧କୁ ବଢ଼ାଇଛନ୍ତି।

 

ଅନ୍ୟପଟେ ମାସେରୁ ଅଧିକ ଦିନ ପରେ ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ହେଲେ ଗତକାଲି ଏହି ସଂଖ୍ୟା ୧୧୦ ରହିଥିବା ବେଳେ ଆଜି ୧୨୦ ରହିଛି। ଅର୍ଥାତ୍ ମାସେରୁ ଅଧିକ ଦିନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଲଗାତାର ଦୁଇ ଦିନ ପାଇଁ ୧୦୦ ରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ୧୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୯ଟି ହେଉଛି ଲୋକାଲ୍ କେସ୍‌। କଟକରେ ସର୍ବାଧିକ ୨୬ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୬ ଓ ମୟୂରଭଞ୍ଜରେ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଅନୁଷ୍ଠାନକୁ ରାଜ୍ୟ ବାହାରୁ ଲୋକ ଆସୁଥିବା ଯୋଗୁ ଏହି କର୍ମଚାରୀମାନେ କରୋନାର ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ‌ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ଷ୍ଟ୍ରେନ ସଂପର୍କରେ ଜାଣିବାକୁ ଏହି ୧୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଛି। କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।