ଖୋର୍ଦ୍ଧା: ସ୍କୁଲ୍ ଗାଡ଼ି-ବାଇକ୍ ଧକ୍କା, ବାଇକ୍ ଆରୋହୀ ମୃତ, ୯ ଛାତ୍ରଛାତ୍ରୀ ଆହତ

ଖୋର୍ଦ୍ଧା: ପୁଣି ଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସ୍କୁଲ୍ ଗାଡ଼ି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଧୁଆଁଳଠାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଓ ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୋଲିସ୍ ଟାଟା ଏସି ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଟାଟା ଏସି ଓ ବାଇକ୍ ଦ୍ରୁତ ଗତିରେ ଥିଲେ। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ପରେ ଟାଟା ଏସି ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱ ଜମି ମଧ୍ୟରେ ଖସି ପଡ଼ିଥିଲା। ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଶିଶୁ ଆହତ ହୋଇଥିଲେ। ଶିଶୁମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧ ତାରିଖରେ ରାଉଲକେଲାରେ ଏକ ଅଟୋ ଓଲଟି ପଡ଼ିବାରୁ ୩ ଜଣ ସ୍କୁଲ୍ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେହିପରି ସେପ୍ଟେମ୍ବର ୨୯ ତାରିଖରେ ଢେଙ୍କାନାଳର ଜିଲ୍ଲାର ସାତମାଇଲ ଛକରେ ଏକ ବସ୍ ଓ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଅଟୋ ମଧ୍ୟରେ ଧକ୍କା ହୋଇ ଜଣେ ଛାତ୍ରୀଙ୍କୁ ସମେତ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆହୁରି ୯ଜଣ ଶିଶୁ ଗୁରୁତର ଆହତ ହୋଇଥିଲେ।