କିଙ୍ଗଫିସର୍ କ୍ୟାଲେଣ୍ଡରରେ ଓଡ଼ିଆ ଝିଅ ସୁଶ୍ରୀ

sushree1ଭୁବନେଶ୍ୱର: ଶିଳ୍ପପତି ବିଜୟ ମାଲ୍ୟାଙ୍କର କିଙ୍ଗଫିସର୍ କଂପାନୀ ତରଫରୁ ପ୍ରକାଶିତ ୨୦୧୬ ବର୍ଷର  କ୍ୟାଲେଣ୍ଡରରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର। କ୍ୟାଲେଣ୍ଡରର ଦୁଇଟି ମାସ ପୃଷ୍ଠାରେ ସ୍ଥାନ ପାଇଛି ସୁଶ୍ରୀଙ୍କ ଆକର୍ଷଣୀୟ ଫଟୋ। ପ୍ରଥମ ଫଟୋଟି ଫେବ୍ରୁଆରୀ ମାସରେ ସ୍ଥାନିତ ହୋଇଥିବା ବେଳେ ଦ୍ୱିତୀୟ ଫଟୋଟି ସ୍ଥାନିତ ହୋଇଛି ଜୁଲାଇ ମାସରେ। ଫେବ୍ରୁଆରୀ ମାସରେ ସ୍ଥାନିତ ଫଟୋଟିରେ ସୁଶ୍ରୀ ହଳଦିଆ ଓ ଧଳା ରଙ୍ଗର ସୁଇମସୁଟ୍ ପିନ୍ଧିଛନ୍ତି। ସେହିପରି ଜୁଲାଇ ମାସର ଫଟୋରେ ସେ ଏକ ବ୍ଲାକ୍ ବିକିନି ପିନ୍ଧିଛନ୍ତି।

ଏହି କ୍ୟାଲେଣ୍ଡର ପାଇଁ ଫଟୋ ଉଠାଇଛନ୍ତି ସେଲିବ୍ରିଟି ଫଟୋଗ୍ରାଫର ଅତୁଲ କସବେକର। ବିଶ୍ୱର ବିଭିନ୍ନ ସୁନ୍ଦର ସ୍ଥାନରେ ଉଠାଯାଇଛି କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ଫଟୋଗୁଡ଼ିକୁ। ସୁଶ୍ରୀଙ୍କ ବ୍ୟତୀତ ମାୟା ହେଣ୍ଡ୍ରିକ୍ସ, ଆଇଶା ଶର୍ମା ଓ ଐଶର୍ଯ୍ୟା ସୁସ୍ମିତା ନୋୟୋନିତା ଲୋଧାଙ୍କର ବି ଫଟୋ ଏଥର ସ୍ଥାନ ପାଇଛି।

ସୁଶ୍ରୀ ଶ୍ରେୟା ମିଶ୍ରଙ୍କ ଘର ସମ୍ବଲପୁରରେ। ୨୦୧୫ ଫେମିନା ମିସ୍ ଇଣ୍ଡିଆରେ ସେ ଜଣେ ପ୍ରତିଯୋଗୀ ଥିଲେ। ସେ ଏହି ପ୍ରତିଯୋଗିତାରେ ସେ ଦୁଇଟି ସ୍ୱତନ୍ତ୍ର ପୁରସ୍କାର ଜିତିଥିଲେ। ସେ ଦୁଇଟି ହେଉଛି ‘ମିସ୍ ରାମ୍ପ ୱାକ୍’ ଓ ‘ମିସ୍ ଭିଭାସିଓସ୍’। ୨୦୧୫ରେ ସେ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ୫ ଫୁଟ୍ ୯ ଇଞ୍ଚ୍ ଉଚ୍ଚର ସୁଶ୍ରୀ ଏହି ପ୍ରତିଯୋଗିତାରେ ‘ବେଷ୍ଟ୍ ନ୍ୟାସନାଲ୍ କଷ୍ଟ୍ୟୁମ୍’ ଟାଇଟଲ୍ ଜିତି ଥିଲେ।

୨୦୦୩ରୁ ୟୁନାଇଟେଡ୍ ବ୍ରେୱେରିଜ୍ (ୟୁବି) ଗ୍ରୁପ୍ ଅଫ୍ ଇଣ୍ଡିଆ କିଙ୍ଗ ଫିସର କ୍ୟାଲେଣ୍ଡର ପ୍ରକାଶ କରି ଆସୁଛି। ଏହି କ୍ୟାଲେଣ୍ଡର ସବୁ ବେଳେ ନବଗତାଙ୍କୁ ସୁଯୋଗ ଦେଇଥାଏ।