ପୌରାଧ୍ୟକ୍ଷାଙ୍କ ସପକ୍ଷରେ ବାହାରିଲେ କିନ୍ନର, ପୋଲିସ୍‌କୁ ଦେଲେ ଚେତାବନୀ

ଯାଜପୁର ରୋଡ଼ (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା ବିରୋଧରେ ବାହାରିଛି ଯାଜପୁର କିନ୍ନର ଆସୋସିଏସନ୍ ‘ଶାନ୍ତିସେନା’। ଆଜି ଏ ସଂପର୍କରେ ସଂଗଠନ ପକ୍ଷରୁ ଏକ ଲିଖିତ ଅଭିଯୋଗ ଯାଜପୁର ରୋଡ଼ ଥାନାରେ ଦିଆଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ଗତ ୮ ତାରିଖ ଦିନ ବ୍ୟାସନଗର ପୌର ପରିଷଦର କାଉନ୍‌ସିଲ୍ ବୈଠକ ଚାଲିଥିବା ବେଳେ ଦେବେନ୍ଦ୍ର ସାମଲ ନାମକ ବ୍ୟକ୍ତି ପୌରାଧ୍ୟକ୍ଷା ସବିତା ରାଉତଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ୪ ଦିନ ପୂରି ଯାଇଥିଲେ ବି ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ନାରୀଙ୍କ ପ୍ରତି ଅସମ୍ମାନକୁ କିନ୍ନର ସଂଗଠନ ନିନ୍ଦା କରିବା ସହ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଯାଜପୁର ଜିଲ୍ଲା କିନ୍ନର ସଂଘ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ସମ୍ପାଦିକା କାଜଲ କିନ୍ନର ଚେତାବନୀ ଦେଇଛନ୍ତି। ତେବେ କିନ୍ନର ସଂଘର ଏହି ଅଭିଯୋଗ ସଂପର୍କରେ ଅଭିଯୁକ୍ତ ଦେବେନ୍ଦ୍ର ସାମଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More