ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦାରେ ପଡ଼ିଲା ଆଉ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ବିଜେଡି ସାଂସଦ ତଥା ତଥାକଥିତ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା ‘କିସ୍’ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣାରେ ଗତକାଲି ମୁଦୁଲିପଡ଼ା ଥାନାରେ ଦିଆଯାଇଥିବା ଚଞ୍ଚକତାପୂର୍ଣ୍ଣ ଏତଲାର ପର୍ଦ୍ଦାଫାସ କରିଛି ଖୋଦ୍ ବଣ୍ଡା ସମାଜ। ଆଉ ଗତକାଲିର ଏତଲାକୁ ବିରୋଧ କରି ବଣ୍ଡା ସମାଜ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ରଙ୍କ ମାଆ ଓ ଭାଇଙ୍କୁ ଗତ ୨୯ ତାରିଖରେ ଅପହରଣ କରାଯାଇଥିବା ଓ ଏଥିରେ ଓଟିଭିର ଜଣେ କ୍ୟାମେରାମ୍ୟାନଙ୍କ ସମେତ ୪ ଜଣଙ୍କ ହାତ ଥିବା ନେଇ ମୁକୁନ୍ଦ ପଡିଆମୀ ନାମକ ଜଣେ ବ୍ୟକ୍ତି ଏତଲା ଦେଇଥିଲେ। ସେହିପରି ରାମଚନ୍ଦ୍ରଙ୍କୁ ସାଂସଦ ବୈଜୟନ୍ତ ପଣ୍ଡା ଅପହରଣ କରି ନିଜ ପାଖରେ ରଖିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ଏତଲା ଦାୟର କରିଥିବା ମୁକୁନ୍ଦ ପଡ଼ିଆମୀ କୋୟା ସଂପ୍ରଦାୟର ହୋଇଥିବା ବେଳେ ସେ କିପରି ବଣ୍ଡା ଜନଜାତିଙ୍କ ତରଫରୁ ଏତଲା ଦେଲେ ବୋଲି ବଣ୍ଡା ସମାଜ ପ୍ରଶ୍ନ କରିଛି। ବଣ୍ଡା ସମାଜ ନାଁରେ ଚକ୍ରାନ୍ତ ଚାଲିଥିବା ଅଭିଯୋଗରେ ଦର୍ଶାଯାଇଛି। ଏଭଳି ଚଞ୍ଚକତା ପଛରେ କାହାର ହାତ ଅଛି ଓ ଅସଲ ଉଦ୍ଦେଶ୍ୟ କ’ଣ, ସେନେଇ ଆଲୋଚନା କରିବାକୁ ବଣ୍ଡା ସମାଜ ୪ ତାରିଖରେ ବୈଠକ ଡାକିଛି। ଘଟଣା ସଂପର୍କରେ ମୁକୁନ୍ଦ ପଡ଼ିଆମୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପଟେ ରାମଚନ୍ଦ୍ର ନିଖୋଜ ଘଟଣାକୁ ନେଇ CWCରେ ଅଭିଯୋଗ ହୋଇଛି। ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର ଏହି କଂପ୍ଲେଣ୍ଟ ପିଟିସନ ଦାଖଲ କରିଛନ୍ତି। କିସ୍ ଜୁଭେନାଇଲ ଜଷ୍ଟିସ ଆଇନ୍ ଅନୁଯାୟୀ ପଞ୍ଜୀକୃତ ହୋଇ ନ ଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ ପାଳନ ଲାଗି ପୂର୍ବରୁ କିସ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା CWC ଦର୍ଶାଇଛି। ଅନ୍ୟପକ୍ଷରେ ରାମଚନ୍ଦ୍ର ନିଖୋଜ ଅଭିଯୋଗର ଅନୁଧ୍ୟାନ କରି ପରବର୍ତ୍ତୀ ପଦ ପଦକ୍ଷେପ ନିଆଯିବ ବୋଲି CWC ସଦସ୍ୟ କହିଛନ୍ତି।
ରାମଚନ୍ଦ୍ର ନିଖୋଜ ହେବା ନେଇ ଗତ ୨୮ ତାରିଖରେ ତାଙ୍କ ମାଆ ମୁଦୁଲିପଡ଼ା ଥାନାରେ ଏତଲା ଦେଇଥିଲେ। ସେହିପରି ଗତ ୩୦ ତାରିଖରେ ତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଗତକାଲି ରାମଚନ୍ଦ୍ରଙ୍କ ମାଆ ଓ ଭାଇ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କ ନିକଟରେ ବି ଏ ନେଇ ଫେରାଦ ହୋଇଥିଲେ। ରାମଚନ୍ଦ୍ର କିସ୍ରୁ କେଉଁଆଡେ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର କହୁଥିବା ବେଳେ, ରାମଚନ୍ଦ୍ର ଛୁଟିରେ ଘରକୁ ଯାଇ ସେଠାରୁ କୁଆଡେ ଚାଲିଯାଇଥିବା କିସ୍ କର୍ତ୍ତୃପକ୍ଷ ଦାବି କରି ଆସୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।