କୋହିନୂର ହୀରା ଫେରାଇ ଆଣିବାକୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ

ପୁରୀ: ଚର୍ଚ୍ଚାରେ ଥିବା କୋହିନୂର ହୀରା ଶ୍ରୀଜଗନ୍ନାଥଙ୍କର। ତୁରନ୍ତ ଏହି ହୀରାକୁ ଓଡ଼ିଶାକୁ ଫେରାଇ ଆଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜିବାକୁ ରବିବାର ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଆଜି ଏହି ଦାବି ଉଠାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ସଂଗଠନ।

୧୮୩୬ରେ ପଞ୍ଜାବର ରାଜା ରଣଜିତ ସିଂହ ଶ୍ରୀମନ୍ଦିରକୁ ଆସି କୌଳିକ ପଣ୍ଡାଙ୍କୁ ଏହି କୋହିନୂର ହୀରା ପ୍ରଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କ ଜୀବନ କାଳ ଭିତରେ ଏହା ସମ୍ଭବ ହୋଇପାରି ନ ଥିଲା। ତେବେ ଏହି ହୀରାକୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦ୍ୟମ କରିବା ଉଚିତ ବୋଲି ଶ୍ରୀଜଗନ୍ନାଥ ସେନା ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ ଦାବି କରିଛନ୍ତି। ଏଥିରେ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଷ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।