୯୦ ସ୍କୁଲ୍‌ରେ ପଡ଼ିଲା ତାଲା

କୋରାପୁଟ (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଖରାଛୁଟି ପରେ ଗତକାଲି ସାରା ରାଜ୍ୟରେ ସ୍କୁଲ ଖୋଲିଛି। ହେଲେ କୋରାପୁଟ ଜିଲ୍ଲାର ବାଲିପଦରଗୁଡ଼ା ସମେତ ୯୦ଟି ସ୍କୁଲରେ ତାଲା ପଡ଼ିଛି। ୧୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ ଏହି ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏନେଇ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଜିଲ୍ଲାର ୯୩ ଟି ପ୍ରାଥମିକ ବିଦ୍ୟାଳୟରେ ଅତିକମ୍‌ ଛାତ୍ରଛାତ୍ରୀ ଥିବା ଜଣାପଡିଥିଲା। ସେଥିମଧ୍ୟରୁ ୯୦ ଟି ବିଦ୍ୟାଳୟରେ ୧୦ରୁ କମ୍‌ ସଂଖ୍ୟକ ପିଲା ଥିବା ଦେଖାଯାଇଥିଲା। ତେଣୁ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି ୯୦ ଟି ବିଦ୍ୟାଳୟକୁ ଚଳିତ ବର୍ଷଠାରୁ ବନ୍ଦ କରି ଦିଆଯାଇଛି।”

ବାଲିପଦରଗୁଡ଼ାର ସ୍କୁଲ ଶିକ୍ଷକ ଜୟରାମ ସୁନା କହିଛନ୍ତି,“ପାହାଡ଼ ପାଦଦେଶରେ ବାଲିପଦରଗୁଡ଼ା ଗାଁ ରହିଛି। ଏହି ଗାଁରେ ୩୦ ପରିବାର ରହନ୍ତି। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ ବାଲିପଦରଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୬ଜଣ ପିଲା ପଢୁଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି।”