୨୦ରୁ କୃଷି ଓଡ଼ିଶା, ଯୋଗଦେବେ ୧୧୨ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ୫ଦିନିଆ କୃଷି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ୧୧୨ଟି ଦେଶବିଦେଶର କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଚନ୍ତି ଯେ କୃଷି ଓ କୃଷକମାନଙ୍କୁ ସଶକ୍ତ କରିବା ଓ ନୂଆ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ‘କୃଷି ଓଡ଼ିଶା’ର ଆୟୋଜନ କରାଯାଉଛି। ଚଳିତବର୍ଷ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ପ୍ରୟାସ ହୋଇଛି। ୨୦ରୁ ୨୪ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏହି ସମାବେଶରେ ୨୨୮ଟି ଷ୍ଟଲ୍ ନିର୍ମାଣ କରାଯାଇଛି।

ଦେଶବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂଆ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହିତ ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ଆଲୋଚନା ଚକ୍ର କରାଯିବ, ଯେଉଁଥିରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, ବିଶେଷଜ୍ଞ ଓ କୃଷି ଅଧିକାରୀ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେବେ।

ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତ ଜନପ୍ରତିନିଧି ଓ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ତାରିଖକୁ ଞ୍ଚାୟତିରାଜ ଜନପ୍ରତିନିଧି ଦିବସ, ୨୩ତାରିଖକୁ ମହିଳା ଦିବସ ଭାବେ ରଖାଯାଇଛି। ୨୨ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀ ଯୋଗ ଦେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।