କୁଲଡ଼ିହା ଓ ଶିମିଳିପାଳ ଅଭୟାରଣ୍ୟରେ ଆନ୍ଥ୍ରାକ୍ସ ଆତଙ୍କ

ବାଲେଶ୍ୱର: କୁଲଡ଼ିହା ଓ ଶିମିଳିପାଳ ଅଭୟାରଣ୍ୟରେ ଏବେ ଆନ୍ଥ୍ରାକ୍ସ ଆତଙ୍କ। ଏକାଧିକ ହାତୀଙ୍କ ମୃତ୍ୟୁକୁ ନେଇ ବନ ବିଭାଗର ଯାଞ୍ଚ ପରେ ଏବେ ଏହା ସ୍ପଷ୍ଟ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ରକ୍ତ ନମୁନାରୁ ସ୍ପଷ୍ଟ ହୋଇଛି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ କେତୋଟି ହାତୀର ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଗତ ନଭେମ୍ୱର ୧୬ ତାରିଖରେ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ବନ ବିଭାଗ ପ୍ରାଣୀ ଚିକିତ୍ସକ ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ସଂଗୃହିତ ରକ୍ତ ନମୁନାକୁ ବିଭିନ୍ନ ପରୀକ୍ଷାଗାରକୁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଆନ୍ଥ୍ରାକ୍ସ ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି।

ବନ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି, ଏହାକୁ ରୋକିବା ପାଇଁ ଗତ ଅକ୍ଟୋବରରୁ ଭେକ୍ସିନେସନ୍ କାର୍ଯ୍ୟକ୍ରମ ଜାରି ରହିଛି। ୧୪ ତାରିଖ ସୁଦ୍ଧା କୁଲଡ଼ିହା ଅଭୟାରଣ୍ୟର ୨ କିଲୋମିଟର ପରିଧୀରେ ଥିବା ମୋଟ ୪୩ହଜାର ୫ଶହ ଗୋରୁଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇଛି। ଆନ୍ଥ୍ରାକ୍ସ ନେଇ କୌଣସି ଆତଙ୍କିତ ସ୍ଥିତି ନାହିଁ ବୋଲି ଡିଏଫ୍ଓ କହିଛନ୍ତି।