ତୁମେ ଲେଖି ଦିଅ, ତୁମେ ମରିଗଲେ ତୁମେ ଦାୟୀ !

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମର ୧୦୦ ଦିନ ପରେ ଗତକାଲି ଆତ୍ମହତ୍ୟା କରିଛନ୍ତି କୁନ୍ଦୁଲି ପୀଡ଼ିତା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟାୟ ପାଇଁ ବ୍ୟବସ୍ଥା ବିରୋଧରେ ଲଢ଼ି ନିରାଶ ହେବା ପରେ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ବାଛିନେଲେ ସେ। ବଞ୍ଚିଥିଲା ବେଳେ ବିରୋଧୀଙ୍କ ସୋର୍ ଶବ୍ଦ ନଥିବା ବେଳେ, ମୃତ୍ୟୁ ପରେ ତାଙ୍କ ଶବକୁ ନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି। ଏହାକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ […]

Application

Application

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 05:42 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗଣଦୁଷ୍କର୍ମର ୧୦୦ ଦିନ ପରେ ଗତକାଲି ଆତ୍ମହତ୍ୟା କରିଛନ୍ତି କୁନ୍ଦୁଲି ପୀଡ଼ିତା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନ୍ୟାୟ ପାଇଁ ବ୍ୟବସ୍ଥା ବିରୋଧରେ ଲଢ଼ି ନିରାଶ ହେବା ପରେ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ବାଛିନେଲେ ସେ। ବଞ୍ଚିଥିଲା ବେଳେ ବିରୋଧୀଙ୍କ ସୋର୍ ଶବ୍ଦ ନଥିବା ବେଳେ, ମୃତ୍ୟୁ ପରେ ତାଙ୍କ ଶବକୁ ନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି। ଏହାକୁ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ କୋରାପୁଟକୁ ଯାଇଥିବା ବେଳେ ଆସନ୍ତାକାଲି ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି।

ସେପଟେ ପୀଡ଼ିତାଙ୍କ ପରିବାରବର୍ଗ ଓ ଗ୍ରାମବାସୀ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରୁଥିବା ବେଳେ, କାଉଣ୍ଟର କରିବାକୁ ବିଜେଡି ଯେଉଁ ଅସ୍ତ୍ର ବ୍ୟବହାର କରୁଛି, ତାହା ଅତ୍ୟନ୍ତ ସାଂଘାତିକ। ତାହା ହେଉଛି ପୋଲିସ୍‌କୁ ପୀଡ଼ିତାଙ୍କ ପରିବାର ଲୋକ ଦେଇଥିବା ଦରଖାସ୍ତ।

‌ଏଥିରେ ଉଲ୍ଲେଖ ଅଛି ଯେ,  ‘ମୋର ଝିଅ ସସ୍ମିତା  ଛାତିକୁ କୌଣସି ଶିଶୁ ପରିଚାର୍ଯ୍ୟାକାରୀ ଅନୁଷ୍ଠାନରେ ରଖି ପାଠ ପଢ଼ାଇବାକୁ ଚାହୁଁନାହିଁ। ମୋ ଝିଅକୁ ମୋ ସାଙ୍ଗରେ ନେଇଯିବାକୁ ଚାହେଁ। ମୁଁ ତା’ର ସମସ୍ତ ପ୍ରକାର ସୁରକ୍ଷା ଦାୟିତ୍ୱ ନେବି। ସେ ଭବିଷ୍ୟତରେ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ବା ଆତ୍ମହତ୍ୟା କରେ, ତାହା ପାଇଁ ଆମ୍ଭେ ଦାୟୀ ରହିବୁ। ମୋର ଝିଅକୁ କୌଣସି ପ୍ରକାର ପୋଲିସ ସୁରକ୍ଷା ଆବଶ୍ୟକ ନାହିଁ।’

ଏହି ଦରଖାସ୍ତଟିରେ ଏସବୁ କଥା ପୀଡ଼ିତାର ମା’ ତଥା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ମୁଷାଗୁଡ଼ା ଗ୍ରାମର ଶ୍ରୀମତୀ ଡମାଇ ଛାତି କହିଥିବା ଦର୍ଶାଯାଇଛି। ଏହି ଦରଖାସ୍ତଟିକୁ  କୋରାପୁଟ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।  ସେହିପରି ଏହାର ଏକ ନକଲ କୋରାପୁଟ ଏସପିଙ୍କ ନିକଟରେ  ଗତ ନଭେମ୍ବର ୨୮ ତାରିଖରେ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି। ଦରଖାସ୍ତଟିରେ ପୀଡ଼ିତାଙ୍କ ପରିବାର ଲୋକଙ୍କର କୌଣସି ଦସ୍ତଖତ ନାହିଁ। କେବଳ ଏକ ଟିପଚିହ୍ନ ରହିଛି। ତେବେ ଦରଖାସ୍ତଟି ଯେଉଁଭଳି ଢଙ୍ଗରେ ଲେଖାଯାଇଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କଥା ଉଠୁଛି ବାରମ୍ବାର ପୀଡ଼ିତାଙ୍କ ଉପରେ ସରକାରୀ କଳ ଚାପ  ପକାଇ ଆସୁଥିବା ବେଳେ, ଦରଖାସ୍ତଟି ଲେଖାଯିବା ଆଉଏକ ଷଡ଼ଯନ୍ତ୍ରର ଚକ୍ରବ୍ୟୂହ ନ ଥିଲା ତ? ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। କାରଣ ଥରେ ନୁହେଁ ବାରମ୍ବାର କୁନ୍ଦୁଲି ପୀଡ଼ିତାଙ୍କ ମୁହଁକୁ ବନ୍ଦ କରିବା ପାଇଁ ଅପଚେଷ୍ଟା କରାଯାଇଥିବା ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଦିନ ପ୍ରାୟ ୧୧ଟା ବେଳକୁ ନିଛାଟିଆ ରାସ୍ତାରେ ଏକୁଟିଆ ଯାଉଥିବା ସମୟରେ ୪ ଜଣ ଯବାନ ପୋଷାକରେ ଥାଇ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା।

ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିଛିଦିନ ପରେ ତାଙ୍କୁ କଟକ ବଡ ମେଡିକାଲ ମଧ୍ୟ ନିଆଯାଇଥିଲା। ସେଠାରୁ ସେ ଗତ ନଭେମ୍ବର ୨୮ ତାରିଖରେ ଘରକୁ ଫେରିଥିଲେ।  ଆଉ ଗତ କାଲି ସେ ଜୀବନ ହାରିଛନ୍ତି।

ଏହାରି ଭିତରେ ଏଚ୍‌ଆରପିଓସି ଏଡିଜି ତଦନ୍ତ କରି ଏହି ଘଟଣାର ସତ୍ୟତା ନ ଥିବା କହିଥିଲା ବେଳେ ରାଜ୍ୟ ପୋଲିସ ମଧ୍ୟ ସମାନ କଥାକୁ ଦୋହରାଇଥିଲା। ସେହିପରି ଡାକ୍ତରୀ ରିପୋର୍ଟରେ ମଧ୍ୟ ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇ ନଥିବା ଦର୍ଶା ଯାଇଥିଲା। କଟକ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଘଟଣା ଚାପିବାକୁ ପୀଡ଼ିତାଙ୍କୁ ଟଙ୍କା ଯଚାଯାଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା କହିଥିଲେ ଯେ, ମେଡ଼ିକାଲରେ ଚିକିତ୍ସା ସମୟରେ ପୋଲିସ ମୋତେ ନିର୍ଯାତନା ଦେଉଥିଲା। ଏପରିକି ଗାଳି ଦିଆଯାଇଛି। କାଉନ୍‌ସେଲିଂ ସମୟରେ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଘଣ୍ଟାଘଣ୍ଟା ଧରି ପଚରାଉଚରା କରାଯାଉଥିଲା। ମୁହଁ ବନ୍ଦ ରଖିବା ପାଇଁ କୁହାଯାଇଥିଲା। ଏଥିପାଇଁ ଏକ କାଗଜରେ ଦସ୍ତଖତ ଦେଇ ୯୦,୦୦୦ ଟଙ୍କା ଯଚା ଯାଇଥିଲା। ପରିବାର ଲୋକେ ଆସିଲେ ଦସ୍ତଖତ କରିବି ବୋଲି କହି ଟଙ୍କା ଫେରାଇ ଦେଇଥିଲି। ଏହି ଟଙ୍କା, ପୋଲିସ ଡିଜି ଦେଇଥିଲେ। ମୋତେ ନ୍ୟାୟ ଦରକାର ଟଙ୍କା ଦରକାର ନାହିଁ। ତେବେ ଚାରିଆଡ଼ୁ ଚାପ ପଡ଼ିବା ପରେ ପରିବାର ଲୋକେ ନିଶ୍ଚୟ ଅବସାଦଗ୍ରସ୍ତ ହୋଇଥିବେ। ଆଉ ପରିବାର ଲୋକର ଅସହାୟତାର ସୁଯୋଗ ନେଇ ଏହି ଦରଖାସ୍ତଟି ଲେଖାଯାଇଥିବା ଚର୍ଚ୍ଚା କରାଯାଉଛି। ଆଉ ଏହାକୁ ଗୋଟିଏ ବାକ୍ୟରେ କହିବାକୁ ଗଲେ ଏହା ହେବ ଯେ, ତୁମେ ଲେଖିଦିଅ ତୁମ ଝିଅ ମରିଗଲେ ତୁମେ ଦାୟୀ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos