କୁନି ଫୁଟ୍‌ବଲ୍‌ ତାରକା ଚନ୍ଦନଙ୍କୁ ଜର୍ମାନୀ ଯିବାକୁ ମିଳିଲା ପାସ୍‌ପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସବର ସାହିରୁ ଜର୍ମାନୀର ପ୍ରସିଦ୍ଧ ବାୟର୍ଣ୍ଣ ମ୍ୟୁନିକ୍‌ କ୍ଲବ୍‌ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିବା କୁନି ଫୁଟ୍‌ବଲ୍‌ ଖେଳାଳି ଚନ୍ଦନ ନାୟକଙ୍କ ସ୍ୱପ୍ନ ସାକାର ହୋଇଛି। ଆଜି ତାଙ୍କୁ ଜରୁରୀକାଳୀନ ଭିତ୍ତିରେ ପାସ୍‌ପୋର୍ଟ ମିଳିଛି।

ଗତକାଲି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଚନ୍ଦନଙ୍କୁ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହା ପରେ ସେ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲେ।

ଗତ ସୋମବାର ଚନ୍ଦନ ପାସ୍‌ପୋର୍ଟ ପାଇଁ ଭୁବନେଶ୍ୱର ଆଞ୍ଚଳିକ ଅଫିସ୍‌କୁ ଯାଇ ନିରାଶ ହୋଇ ଫେରିଥିଲେ। ଚନ୍ଦନଙ୍କର ଜନ୍ମ ପ୍ରମାଣପତ୍ର ନ ଥିବାରୁ ତାଙ୍କ ଆବେଦନପତ୍ର ନାକଚ ହୋଇଯାଇଥିଲା। ସେଠାରୁ ସେ ନିରାଶ ହୋଇ ଫେରିବା ପରେ ମେୟର ଜେନାଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ।

କ୍ୟାପିଟାଲ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଚନ୍ଦନଙ୍କୁ ଜର୍ମାନୀ ଯିବା ପାଇଁ ସ୍କୁଲରୁ ଅନୁମତି ମିଳିଛି। ୨୨ରେ ସେ ଜର୍ମାନୀ ଗସ୍ତରେ ଯାଇ ବାୟର୍ଣ୍ଣ ମ୍ୟୁନିକ ଫୁଟବଲ କ୍ଲବରେ ୨ ମାସ ଧରି କୋଚିଂ ନେବେ।