ଦାଦନ ଖଟି ଯାଇଥିଲା, ଶବ ହୋଇ ଫେରିଲା

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂର ବୀରମୁଣ୍ଡା ଗାଁ । ଏଠି ବି ଲୋକଙ୍କ ହାତରେ କାମ ନାହିଁ । ତେଣୁ ଅଧିକାଂଶ ଲୋକ ଦାଦନ ଖଟିବାକୁ ଯାଆନ୍ତି । ନିକଟରେ ଏଇ ଗାଁରୁ ଦାଦନ ଖଟି ଯିବାକୁ ନିଷ୍ପତ୍ତି ନେଇଥିଲା ଅନ୍ତର୍ଯ୍ୟାମି। ପ୍ରଥମେ ହାଇଦ୍ରାବାଦ ତା ପରେ ଚେନ୍ନାଇକୁ ବାହାରିଥିଲେ କାମ ଅନ୍ୱେଷଣରେ। କିନ୍ତୁ ନିୟତିର ଗତି ଥିଲା ଅଲଗା । ପରିବାର ପୋଷିବାକୁ ଘର ଛାଡିଥିବା ଏହି ବ୍ୟକ୍ତି ଜଣକ କିନ୍ତୁ ଦେହ ଧରି ଘରକୁ ଆଉ ଘରକୁ ଫେରି ନ ଥିଲେ। ଆସନ୍ତୁ ଜାଣିବା ତାଙ୍କ କରୁଣ କାହାଣୀର ପୂରା କଥା।

ଟଙ୍କା ଅଭାବରୁ ଅନ୍ତର୍ଯ୍ୟାମିଙ୍କ ସାନ ଭଉଣୀର ପାଠପଢାରେ ଡୋରି ବନ୍ଧା ହୋଇଥିଲା। ବଡ ଭଉଣୀଙ୍କ ବାହାଘର କରି କରଜରେ ବୁଡି ଯାଇଥିଲେ ବାପା। ଦୀର୍ଘ ବର୍ଷ ବର୍ଷ ଧରି ମରାମତି ହୋଇ ନ ଥିବାରୁ ଘର ଛାତ ଉପରେ ପଲିଥିନ ଘେରା ହୋଇ ରହିଥିଲା। ଛପର ହୋଇପାରୁ ନ ଥିଲା। ଏ ସବୁଥିରୁ ନିସ୍ତାର ପାଇବା ପାଇଁ ଦାଦନ ଖଟି ଯିବାକୁ ନିଷ୍ପତ୍ତି ନେଇଥିଲେ ଅର୍ନ୍ତଯ୍ୟାମୀ। ଗତ ୧୫ ତାରିଖ ଟ୍ରେନ ଯୋଗେ ଚେନ୍ନାଇ ଯାଉଥିବା ବେଳେ ଘଟିଲା ଅଘଟଣ। ହାଇଦ୍ରାବାଦ ନିକଟ ନେଲୋର ଜିଲ୍ଳାର କାଭଲି ରେଲଷ୍ଟେସନରେ ଟ୍ରେନରୁ ଖସିପଡି ପ୍ରାଣ ହରାଇଲେ ଅନ୍ତର୍ଯ୍ୟାମୀ । ବଲାଙ୍ଗିର ବୀରମୁଣ୍ଡା ଗାଁର ଯୁବକ ଅର୍ନ୍ତଯ୍ୟାମୀ ବାଗ୍‌।

ବିଜୁଳି ଭଳି ଏଇ ଦୁଃ‍ଖଦ ଖବର ଖେଳିଗଲା ଗାଁକୁ। ବୁକୁଫଟା ଚିତ୍କାରରେ ଫାଟି ପଡିଥିଲା ବୀରମୁଣ୍ଡା। ହେଲେ ଚିନ୍ତା ପଡିଥିଲା କେମିତି ଶବ ସତ୍କାର ହେବ ବୋଲି। କାରଣ ଏହି ଦାଦନ ପରିବାର ହାତରେ ଶବ ପୋଡିବାକୁ ବି ଟଙ୍କାଟିଏ ହାତରେ ନ ଥିଲା। ଶେଷରେ ସାହି ପଡିଶାଙ୍କ ଚାନ୍ଦାରେ ଜୁଇରେ ଜଳିଗଲା ଅନ୍ତର୍ଯ୍ୟାମୀ।

ଏତେ ସବୁ ପରେ ବି ଗାଁ ଗାଁରେ ଯୋଜନାର ଡିଣ୍ଡିମ ପିଟୁଥିବା ସରକାରଙ୍କ ସରକାରଙ୍କ ତରଫରୁ କାହାରି ବି ଦେଖା ନ ଥିଲା। ନିଦାବିଷ୍ଣୁ ପ୍ରଶାସନ  ଜିଲ୍ଳାରେ ଅନେକ ଯୋଜନା ଥିବା କହୁଥିବା ବେଳେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଟଙ୍କାଟିଏର ବି ସୁଫଳ ପାଇପାରି ନ ଥିଲେ ଅର୍ନ୍ତଯ୍ୟାମି। ଜୀବନ ସରିଯାଇଥିଲେ ନା ସରକାର ତାଙ୍କୁ କାମ ଯୋଗାଇ ପାରିଲେ ନା ମରଣ ପରେ ହରିଶ୍ଚନ୍ଦ୍ର ଯୋଜନାରେ ଯୋଗାଇ ପାରିଲେ ସହାୟତା। ଏମିତି କିଛି କହି ବୁକୁଫଟାଇ କାନ୍ଦୁଥିଲେ ତାଙ୍କ ପରିବାର ଲୋକ।