ସୋଶାଲ ମିଡିଆରେ ଅପପ୍ରଚାର, କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ତାଙ୍କ ନାଁରେ ଚାଲିଥିବା ଅପପ୍ରଚାର ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଫେସବୁକ ପେଜରେ ତାଙ୍କ ନାଁ ନେଇ ଏକ ମିଛ ଖବର ପ୍ରଚାର କରାଯାଉଥିବାରୁ ଶ୍ରୀମତୀ ସାମନ୍ତସିଂହାର ଟ୍ୱିଟର ମାଧ୍ୟମରେ ରାଜ୍ୟ ପୁଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର ଆଜି ଟ୍ୱିଟ୍ ମାଧ୍ୟମରେ ରାଜ୍ୟ ପୁଲିସ ଡିଜି, କ୍ରାଇମବ୍ରାଂଚ ଓ ପୁଲିସ କମିଶନରଙ୍କୁ ତାଙ୍କ ବିରୁଦ୍ଧରେ ଏକ ଫେସବୁକ ପେଜରେ ଚାଲିଥିବା ଅପପ୍ରଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି କରିଛନ୍ତି। ଏକ ଫେସବୁକ ପେଜରେ ଗତକାଲି ଲେଖାଶ୍ରୀଙ୍କ ନାଁ ନେଇ ଗ୍ୟାସ୍ ଦର ବୃଦ୍ଧି ସମ୍ପର୍କିତ ଏକ ମିଛ ମନ୍ତବ୍ୟକୁ ପ୍ରଚାର କରାଯାଇଛି। “ମହିଳାମାନେ ଅଳ୍ପ ଆଇଟମ୍ କରନ୍ତୁ, ଅର୍ଥାତ୍ ଖାଲି ଭାତ ଓ ଡାଲି’ କରନ୍ତୁ ବୋଲି ଲେଖାଶ୍ରୀ କହିଥିବା ନେଇ ଏହି ଫେସବୁକ ପେଜରେ ଉଲ୍ଲେଖ ରହିଛି।

ତେବେ ଶ୍ରୀମତୀ ସାମନ୍ତସିଂହାର ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ଆଜି ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର ଟ୍ୱିଟ୍ କରି କହିଛନ୍ତି ଯେ, “ସେ ଏଭଳି କୌଣସି ବୟାନ ଦେଇନାହାନ୍ତି। ତାଙ୍କୁ ବ୍ଲାକମେଲ୍ କରିବା ଓ ଚାନ୍ଦା ଆଦାୟ ଉଦ୍ଦେଶ୍ୟରେ ଏଭଳି ଫେକ୍ ନ୍ୟୁଜ ପ୍ରସାର କରାଯାଉଛି, ଯାହାକି ତାଙ୍କୁ ବ୍ୟଥିତ କରିଛି।”

ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ମର୍ଯ୍ୟାଦା ହାନି ପାଇଁ ଏଭଳି ମିଛ କଥା ପ୍ରଚାର କରାଯାଉଛି। ଏଭଳି ପ୍ରୟାସକୁ ସେ କଡ଼ା ଭାଷାରେ ନିନ୍ଦା କରୁଛନ୍ତି। ସେ ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜି, କ୍ରାଇମବ୍ରାଂଚ ସାଇବର ସେଲ୍ ଓ କମିଶନରେଟ ପୁଲିସକୁ ଅବଗତ କରିଛନ୍ତି । ଏହାକୁ ଏକ ଏଫଆଇଆର ଭାବେ ବିବେଚନା କରିବାକୁ ସେ ଅନୁରୋଧ କରୁଛନ୍ତି। ଏହାର ତଦନ୍ତ କରାଯାଇ ଏଭଳି କାର୍ଯ୍ୟ ପଛରେ ଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।