ରାସ୍ତାକଡ଼ରେ ଏଲ୍ଆଇସି ଏଜେଣ୍ଟଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ଅଭିଯୋଗ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ନାଇଜର ନିକଟ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର କୁମାର ନାୟକ। ସେ ଜଣେ ଏଲ୍ଆଇସି ଏଜେଣ୍ଟ ଭାବେ କାମ କରୁଥିଲେ।

ରବୀନ୍ଦ୍ରଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ନିମବସନ୍ତ ଗାଁରେ। ସେ ଦୁଇ ବର୍ଷ ହେଲେ ପରିବାର ସହିତ ଜଟଣୀର ଶ୍ରୀହରିବିହାରରେ ରହୁଥିଲେ। ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ରବୀନ୍ଦ୍ର ଖୋର୍ଦ୍ଧାରୁ ଜଟଣୀ ଫେରୁଥିବା ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ରାତିରେ ଅଫିସ୍‌ରୁ ବାହାରି ଖୋର୍ଦ୍ଧା ବଇପାସ୍ ନିକଟସ୍ଥ ଏକ ହୋଟେଲ୍‌ରେ କିଛି ବନ୍ଧୁମାନଙ୍କ ସହିତ ସେ ଖାଇଥିଲେ। ତା’ପରେ ରାତି ପ୍ରାୟ ୧୨ଟା ବେଳେ ଜଟଣୀ ଅଭିମୁଖେ ବାହାରିଥିଲେ। ଏହି ସମୟରେ କିଛି ଲୋକ କାର୍‌ ଯୋଗେ ଆସି ନାଇଜର ନିକଟରେ ତାଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ପାଖରେ ବାଇକ୍‌ଟି ପଡ଼ିଥିଲା।

jatani
ଏଇ ସ୍ଥାନରେ ପଡ଼ିଥିଲା ରବୀନ୍ଦ୍ରଙ୍କ ମୃତଦେହ।

ରବୀନ୍ଦ୍ରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି,“ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଶୀଘ୍ର ଗିରଫ କରୁ। ନ ହେଲେ ଆମେ ଆନ୍ଦୋଳନ କରିବୁ। ତାଙ୍କର କାହା ସହିତ ଶତ୍ରୁତା ନ ଥିଲା। କାମ ପାଇଁ ଯେ କେହି ବି ରାତିରେ ଡାକିଲେ ସେ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ।”

ଜଟଣୀ କମିଶନରେଟ୍ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଛି ଓ ତଦନ୍ତ ଜାରି ରଖିଛି।
ରବୀନ୍ଦ୍ର ୨୫ ବର୍ଷ ହେଲା ଏଲ୍‌ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଏଲ୍‌ଆଇସି ଏଜେଣ୍ଟଙ୍କ ଖୋର୍ଦ୍ଧା ଶାଖା ସଭାପତି ମଧ୍ୟ ଥିଲେ।