ତାଳଗଛ ଯାଉଛି ତାମିଲନାଡୁ, ବଜ୍ରାଘାତ ଖାଉଛି ଓଡ଼ିଶା ?

ଭୁବନେଶ୍ୱର(ରାଜଶ୍ରୀ ଶତପଥୀ/ଲକ୍ଷ୍ମୀନାରାୟଣ କାନୁନଗୋ): ସୁନ୍ଦରଗଡ଼ରୁ ଆସିଥିବା ଏହି ଚିତ୍ର ଦେଖିଲେ, ଯେ-କେହି ବି ବିବ୍ରତ ହେବା ସ୍ୱାଭାବିକ। ପିଲାମାନେ ପଡ଼ିଆରେ ଫୁଟବଲ ଖେଳୁଥିଲେ, ଅନାଚକ୍‌ ବଜ୍ରାଘାତ ହେଲା। ୨ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହେଲେ। କିନ୍ତୁ ପ୍ରଶ୍ନ ହେଉଛି ବଜ୍ରାଘାତର ଏହି ଭୟାବତା ଦିନକୁ ଦିନ ବଢ଼ୁଛି କାହିଁକି? ଏହାର ଏକ କାରଣ, ଆପଣଙ୍କୁ ଆହୁରି ବିଚଳିତ କରିପାରେ।…

ଓଡ଼ିଶାରେ କଟୁଛି ତାଳଗଛ, ଯାଉଛି ତାମିଲନାଡୁ, କିନ୍ତୁ ପରିଣାମ ଭୋଗୁଛି ଓଡ଼ିଶା ! ପ୍ରତି ବର୍ଷ ବଜ୍ରାଘାତରେ ଯାଉଛି ୩୦୦ରୁ ୪୦୦ ଜଣଙ୍କ ଜୀବନ। ଗତ ୫ ବର୍ଷରେ ବଜ୍ରଘାତରେ ୧,୬୬୭ ଜଣଙ୍କ ଜୀବନ ଯାଇଛି। ବଜ୍ରାଘାତ ଜନିତ ମୃତ୍ୟୁରେ ମଧ୍ୟପ୍ରଦେଶ ପରେ ଓଡ଼ିଶାର ସ୍ଥାନ ରହିଛି।

ଢେଙ୍କାନାଳ ଓ ଅନୁଗୁଳ ଅଂଚଳରେ ବ୍ୟାପକ ଭାବେ କଟାଯାଉଛି ତାଳଗଛ। ଆଉ ଏ ସବୁ ଟ୍ରକରେ ବୁହାହୋଇ ତାମିଲନାଡୁ ଯାଉଥିବା କୁହାଯାଉଛି। ରାଜ୍ୟରେ ବ୍ୟାପକ ଭାବେ ତାଳଗଛ କଟିବା କାରଣରୁ କ୍ରମାଗତ ଭାବେ ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା କହୁଛନ୍ତି ବିଶେଷଜ୍ଞ। ତାଳଗଛ, କରେଣ୍ଟର ଏକ ସୁପରିବାହୀ ଭାବେ କାମ କରୁଥିବାରୁ ଉଚ୍ଚ ଶକ୍ତି ବିଶିଷ୍ଟ ବିଜୁଳି କରେଣ୍ଟ ତାଳଗଛରେ ମାଡ଼ ହୋଇ ତୁରନ୍ତ ମାଟି ତଳକୁ ଚାଲିଯାଏ। ଯାହାଫଳରେ ବିଦ୍ୟୁତ ଆଘାତର ଆଶଙ୍କା କମିଯାଏ। ହେଲେ ତାଳଗଛ ସଂଖ୍ୟା କମିବା କାରଣରୁ ବଜ୍ରାଘାତର ଆଶଙ୍କା ବଢ଼ିଯାଉଛି। ଏପଟେ, ତାଳଗଛ ଚାଲାଣରେ କୌଣସି ପ୍ରତିବନ୍ଧକ ନଥିବାରୁ, ବ୍ୟାପକ ଭାବେ ତାଳଗଛ କଟାଯାଇ ବାହାର ରାଜ୍ୟକୁ ମଧ୍ୟ ଚାଲାଣ କରାଯାଉଥିବା ଦେଖାଯାଉଛି।

ତାଳଗଛ କଟିଯିବାରୁ ହାତୀମାନେ ବର୍ଷାଦିନେ ପାଚିଲା ତାଳ ଖାଇବାକୁ ନପାଇ ଜନବସତି ଆଡ଼କୁ ମାଡି ଆସୁଛନ୍ତି ଓ ଅଧିକ ଧନଜୀବନ ହାନୀ ହେଉଛି ବୋଲି କହିଛନ୍ତି ପରିବେଶବିତ୍ ଡ. ବିଶ୍ୱଜିତ୍ ମହାନ୍ତି। ସେ କହିବା କଥା ତାମିଲନାଡୁରେ ତାଳ ଗଛା କଟା ବ୍ୟାନ୍ କରାଯାଇଛି। ହେଲେ ଓଡ଼ିଶା ଖୁଲମଖୁଟା ତାଳ ଗଛ କଟା ଚାଲିଛି। ଓଡ଼ିଶାର ଢେଙ୍କାନାଳ ଓ ଅନୁଗୁଳ ଅଂଚଳରୁ ବ୍ୟାପକ ତାଳ ଗଛ କଟାଯାଇ ଟ୍ରକରେ ଚାଲାଣ ହେଉଛି। ନୂଆ ଗଛ ଲଗାଇବା ସମୟ ସାପେକ୍ଷ ହୋଇଥିବା ବେଳେ ପୁରୁଣା ଗଛର ସୁରକ୍ଷା କରାଯାଉନାହିଁ। ଏ ନେଇ ବନ ବିଭାଗକୁ ସେମାନେ ବାରମ୍ବାର ଜଣାଇଛନ୍ତି।

ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ବାଂଲାଦେଶ ଭଳି ଓଡ଼ିଶାରେ ବ୍ୟାପକ ତାଳ ଗଛ ପୋତାଯିବ ବୋଲି ଓଡ଼ିଶା ସରକାରଙ୍କ ଅଧିକାରୀମାନେ ୪ ବର୍ଷ ତଳେ ଘୋଷଣା କରିଥିଲେ। ବନ ବିଭାଗ ଓ ପ୍ରାକୃତିକ ଦୁର୍ବିପାକ କର୍ତ୍ତୃପକ୍ଷ ତାଳଗଛ ଲଗାଇବୁ ବୋଲି କହିଥିଲେ। ଗତ ୫ ବର୍ଷରେ କେଉଁ ରାଜ୍ୟରେ କେତେ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ତାର ହିସାବ ଲୋକସଭାରେ ମାର୍ଚ୍ଚ ୧୬ ତାରିଖରେ ଆର୍ଥ ସାଇନ୍ସ ବା ପୃଥ୍ୱୀ ବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଦେଇଥିଲେ। ଯେଉଁଥିରେ ୨୦୧୬ରୁ ୨୦୨୦ ମଧ୍ୟରେ ମଧ୍ୟପ୍ରଦେଶରେ ପରେ ଓଡ଼ିଶାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ବଜ୍ରପାତରେ ଘଟିଥିବା ଦର୍ଶାଇଥିଲେ। ୫ ବର୍ଷରେ ମଧ୍ୟପ୍ରଦେଶରେ ୨,୩୦୧ ଲୋକଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ଦ୍ୱିତୀୟ ସର୍ବାଧିକ ୧,୬୬୭ ଲୋକଙ୍କର ମୃତ୍ୟୁ ଘଟିଛି। ଖୋଲା ଖଣି ଅଚଂଳରେ ଅଧିକ ବଜ୍ରପାତ ହେଉଥିବା ଲକ୍ଷ୍ୟ କରାଯାଇଛି।

ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ତାଳଗଛ ଡେଙ୍ଗା ହୋଇଥିବାରୁ ବଜ୍ରପାତର ଏକ ସୁପରିବାହୀ ଭଳି କାମ କରେ ଓ ଆସୁଥିବା ଅତ୍ୟଧିକ କରେଣ୍ଟ ତୁରନ୍ତ ମାଟିକୁ ଚାଲିଯାଏ। ଫଳରେ ପ୍ରଚୁର ତାଳଗଛ ଥିବା ଅଞ୍ଚଳର କୃଷକମାନେ ବଜ୍ରାଘାତରୁ ରକ୍ଷା ପାଆନ୍ତି। ପୂର୍ବରୁ ସେଥିପାଇଁ ଅଧିକ ତାଳଗଛ ପୋତାଯାଉଥିଲା। ମାତ୍ର ଏବେ ବିକାଶ ଆଳରେ ଅବିଚାରିତ ଭାବରେ ତାଳ ଗଛ କଟାଯାଉଛି। ସରକାର ୪ ବର୍ଷ ତଳେ ନୂଆ ତାଳ ଗଛ ପୋତିବା କାର୍ଯ୍ୟକ୍ରମ ହାତକୁ ନେବେ କହିଥିଲେ ବି ବିଶେଷକିଛି ହୋଇନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।