ସୋନାଙ୍କୁ ବିରୋଧ: ପୁରୀରେ ପୋଡ଼ାଯାଉଛି ପୋଷ୍ଟର

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଓ ଭକ୍ତ ସାଲବେଗଙ୍କ ରଚିତ ପ୍ରାଚୀନ ତଥା ଲୋକପ୍ରିୟ ଜଣାଣ-‘ଆହେ ନୀଳ ଶୈଳ’ର ଅନେକ ଭାବାର୍ଥ ଭରା ଶବ୍ଦକୁ ଭୁଲ୍ ଢଙ୍ଗରେ ଗାଇ ଗାୟିକା ସୋନା ମହାପାତ୍ର ଏବେ ବିବାଦରେ। ସୋନା ଭୁଲ ଗାଇବା ନେଇ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାର ସାମ୍ନାରେ ତାଙ୍କ ପୋଷ୍ଟର ପୋଡ଼ା ଯାଇଛି। ଏହାସହ ସୋନା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି,“ସୋନା ମହାପାତ୍ରା ବାରମ୍ବାର ଓଡ଼ିଆ ସଂସ୍କୃତି ଓ  ଓଡ଼ିଆମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି। ନିଜର ଫାଇଦା ଓ ପଇସା ରୋଜଗାର କରିବା ପାଇଁ ସେ ଜାଣିଶୁଣି ଏମିତି କରୁଛନ୍ତି। ଗତକାଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ସେ ପର୍ଯ୍ୟନ୍ତ ଭୁଲ୍‌ ନ ମାଗିଛନ୍ତି, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ। ଚାରିଦିନ ହେଲାଣି ରାଜ୍ୟସରକାର କାହିଁକି ଚୁପ୍‌ ରହିଛନ୍ତି?

ମୁମ୍ବାଇର ଏକ କାର୍ଯ୍ୟକ୍ରମ ଅବସରରେ ସୋନା ଗାଇଥିବା ଆହେ ନୀଳ ଶୈଳରେ ଅନେକ ଭାବପୂର୍ଣ୍ଣ ଓ ଅର୍ଥ ବୋଧକ ଶବ୍ଦ ଭୁଲ ଗାଇଥିଲେ। ଏହାସହ ସାଲବେଗଙ୍କ ନାଁକୁ ସାଲେବେଗ କହି ଅପଭ୍ରଂଶ କରି ଗାଇଥିବାରୁ ତାକୁ ନେଇ ଖପ୍ପା ବହୁ ଭଜନ ଶିଳ୍ପୀ ଓ ଜଗନ୍ନାଥ ପ୍ରେମୀ। ଏପରିକି ଜଗନ୍ନାଥଙ୍କୁ ନେଇ ଆଧାରିତ ଭଜନକୁ ଆଧୁନିକ ନକରିବାକୁ ଅଧିକାଂଶ ମତ ଦେଇଛନ୍ତି।

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆତ୍ମା, ମନ ଓ ପ୍ରାଣରେ କାହିଁ କେଉଁ କାଳରୁ ବସା ବାନ୍ଧି ରହିଛି,ସାଲବେଗଙ୍କ ଏ ଭକ୍ତିଭରା ଜଣାଣ।  ହେଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର ଯେମିତି ଏ ଜଣାଣକୁ ଅପଭ୍ରଂଶ କରି ଗାଇଛନ୍ତି ତାହା ପ୍ରଭୁ ଜଗନ୍ନାଥ, ଓଡ଼ିଆ ଓ ଓଡ଼ିଶାର ଅପମାନ ବୋଲି କହି ବିଭିନ୍ନ ମହଲରରୁ ପ୍ରତିବାଦ କରାଯାଇଛି।

ଭୁଲ୍ ଢଙ୍ଗରେ ଗୀତକୁ ନେଇ ସୋନାଙ୍କ ବିରୋଧରେ ବିବାଦ ନୂଆ ନୁହେଁ। ପୂର୍ବରୁ କୋକ୍ ଷ୍ଟୁଡିଓରେ ଲୋକପ୍ରିୟ ସମ୍ବଲପୁରୀ ଗୀତ ’ରଙ୍ଗବତୀ’କୁ ମଧ୍ୟ ଭୁଲ୍ ଢଙ୍ଗରେ ଗାଇ ସମାଲୋଚନାର ଶିକାର ହୋଇଥିଲେ ସୋନା। ସେହିପରି କିଛିଦିନ ତଳେ ପ୍ରଖ୍ୟାତ ସୁଫି ଗୀତ ‘ତୋରୀ ସୁରତ୍କୁ’ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ।