ମୃତ ଦେହ ପାଖରେ ମୁଣ୍ଡ କଚାଡ଼ିଲେ ସ୍ତ୍ରୀ, କହିଲେ ସ୍ୱାମୀର କିଛି ହୋଇନି, ତାଙ୍କୁ ଉଠାଅ…

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ମୋ ସ୍ୱାମୀର କିଛି ହୋଇନି। ତାଙ୍କୁ ଉଠାଅ। ଡାକ୍ତର ପାଖକୁ ନେବା। ଗୁଳି ମାଡ଼ ପରେ ଡାକ୍ତର ମୃତ ଘୋଷଣା କରିଥିଲେ ମଧ୍ୟ ସ୍ୱାମୀକୁ ଉଠାଇବା ପାଇଁ ଚିତ୍କାର କରିଥିଲେ ସ୍ତ୍ରୀ। କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ପରିବେଶ। ଲୋକାରଣ୍ୟ ହୋପଡ଼ିଥିଲା ମେଡିକାଲ ପରିସର।

ଆଜି ଏମିତି ସ୍ଥିତି ବାଲେଶ୍ୱର ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା। ବାଲେଶ୍ୱର ମାଛଧରା ବନ୍ଦରରେ ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟା ପରେ ସହରରେ ଉତ୍ତେଜନାର ମାହୋଲ ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ମେରାଇନ ଥାନା ଅନ୍ତର୍ଗତ ଚାନ୍ଦିପୁର ବଳରାମଗଡ଼ିରେ ଥିବା ମାଛଧରା ବନ୍ଦରରେ ଏହି କାଣ୍ଡ ଘଟିଛି। ଦୁର୍ବୃତ୍ତ ମାନେ ପ୍ରଥମେ ଟ୍ରଲର ମଧ୍ୟରେ ପଶି ମାଲିକ ବିଜୟ ପ୍ରଧାନଙ୍କୁ ଧାରୁଣା ଅସ୍ତ୍ରରେ ହାଣିବା ସହ ତାଙ୍କୁ ଲଗାତର ଗୁଳି କରିଥିଲେ ।

ଦୁର୍ବୃତ୍ତମାନେ  ତାଙ୍କୁ ୪ରୁ ୫ ରାଉଣ୍ଡ ଗୁଳିକରିଥିବା ଜଣାପଡିଛି । ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଟ୍ରଲର ମାଲିକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ବାଲେଶ୍ୱର ମେଡିକାଲ ଫାଣ୍ଡି ଆଗରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି। ବାଲେଶ୍ୱରର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଲୋକେ ପୁଲିସର ଅପାରଗତାକୁ ଦାୟୀ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।