ସଙ୍ଗୀନ୍‌ ହେଉଛି ସ୍ଥିତି: ଫେରିପାରେ ଲକ୍‌ଡାଉନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆସନ୍ତାକାଲି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍ପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।  କୋଭିଡ୍ ନିୟନ୍ତ୍ରଣ ପାଇଁ ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି।  ସେମାନେ ଗାଁକୁ ଆସୁ୍ଥିବା ବାହାର ଲୋକଙ୍କ ଉପରେ ନଜର ରଖିବେ।  ଗାଁର କୋଭିଡ୍ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି।  ସ୍ଥିତି ଦେଖି ଲକ୍‌ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଆଜି ଦିନକରେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୧୪୬ ପଜିଟିଭ । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୫, କଟକରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୧୩, ନୂଆପଡ଼ାରୁ ୧୨, ସୁନ୍ଦରଗଡ଼ରୁ ୧୨ ପଜିଟିଭ ବାହାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ  ୮୭, ଲୋକାଲ୍ କେସ୍- ୫୯ ବୋଲି ଜଣାପଡ଼ିଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୯୬୩କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ କେସ ରହିଛି ୮୬୭ ଏବଂ ୩ ଲକ୍ଷ ୩୬ ହଜାର ୧୨୪ ଜଣ ସୁସ୍ଥ ହୋଇଛନ୍ତି  ।  ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ମିଳିଛି । ଲକ୍ଷଣ ଜଣା ପଡ଼ିବା ପରେ RTPCR ଟେଷ୍ଟ କରାଯାଇଥିଲା ।  ସଂକ୍ରମିତଙ୍କୁ ଏବେ ସଂଗରୋଧରେ ରଖାଯାଇଛି ।

ସେହିପରି ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠି ଗଂଜାମ ଜିଲ୍ଲା ପ୍ରଶାସନ । ଏହାକୁ ନେଇ ଏକ ବୈଠକ ହୋଇଛି । ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି  ହଟସ୍ପଟ ଅଂଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ।  ବାହାରୁ ଆସିଲେ RTPCR ସାର୍ଟିଫିକେଟ ବାଧ୍ୟତାମୂଳକ । ଜାନିଯାତ୍ରା ପାଇଁ ରାଜ୍ୟ ବାହାରରୁ ଲୋକେ ଆସିପାରିବେନି।   କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ RTPCR ସାର୍ଟିଫିକେଟ ଧରି ଆସିବାକୁ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ।  ଗଂଜାମରେ ଏଥର ହୋଲି ଉପରେ ଲଗାଯାଇଛି କଟକଣା । ମନ୍ଦିରରେ କେବଳ ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇପାରିବ । ସର୍ବ ସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି । ବୁଢୀ ଠାକୁରାଣି ଯାତ୍ରା ମଧ୍ୟ ରୀତିନୀତି ଅନୁଯାୟୀ ହେବ।  ସହରାଂଚଳ ଏବଂ ଗ୍ରାମାଂଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ NAC କାର୍ଯ୍ୟ ର୍ନିବାହୀ ଅଧିକାରୀ  । ସତର୍କ ନ ରହିଲେ କୋଭିଡ୍ କଟକଣା ନ ମାନିଲେ ପୁଣି ଲକ୍ ଡାଉନ୍ ସଟ୍‌ଡାଉନ ଭଳି ସ୍ଥିତି ଉପୁଜିବ ବୋଲି କହିଛନ୍ତି ଜିଲ୍ଲାପାଳ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।