ଗ୍ରୀଲ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟିନେଲେ

ବୀରମିତ୍ରପୁର(ରାକେଶ ସାହୁ): ଗ୍ରୀଲ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ବ୍ୟାଙ୍କ କଲୋନୀରେ ରୁହନ୍ତି ଦ୍ରୌପଦୀ ଟେବ୍ରିୱାଲ୍‌। କିଛିଦିନ ତଳେ ସେ ବାପଘର ଝାରଖଣ୍ଡ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଆଲ୍‌ମିରାରେ ଥିବା ନଗଦ ଅଢ଼େଇ ଲକ୍ଷ ଟଙ୍କା ଓ ସୁନା-ରୁପା ଅଳଙ୍କାର ଲୁଟି ନେଇ ଯାଇଥିଲେ। ଚୋରି ହୋଇଥିବା ଅଳଙ୍କାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ।

ଆଜି ସକାଳେ ଦ୍ରୌପଦୀଙ୍କ ଘରର ଗ୍ରୀଲ ଭଙ୍ଗା ଯାଇଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ। ପରେ ଏ ନେଇ ଫୋନ୍‌ରେ ଦୌପଦୀଙ୍କୁ କହିଥିଲେ। ତା’ପରେ ସେ ସୁନ୍ଦରଗଡ଼ ଫେରି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ବୀରମିତ୍ରପୁର ଟାଉନ୍‌ରେ ଚୋରି ବଢ଼ି ଚାଲିଛି। ପୁଲିସର ଢ଼ିଲା ପାଟ୍ରୋଲିଂ ଯୋଗୁ ଚୋରମାନେ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ଏହି ଘଟଣା ପରେ ଏବେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।