ପୁଣି ଲଭ୍‌-ସେକ୍ସ-ଧୋକା: ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ

ସୋର (ଶଶୀକାନ୍ତ ବେହେରା): ପ୍ରଥମେ ପରିଚୟ। ତା’ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଆଉ ଶେଷରେ ଧୋକା। ପୁଣି ଆସିଛି ଏମିତି ଏକ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନାରେ କରାଯାଇଛି ଏହି ଅଭିଯୋଗ। ଯୁବତୀ ଜଣଙ୍କ ସୋର ଥାନା ଅନ୍ତର୍ଗତ କମରପୁର ଅଞ୍ଚଳର। ଆଉ ତାଙ୍କୁ ଧୋକା ଦେଇଥିବା ଯୁବକ ଜଣଙ୍କ ହେଉଛନ୍ତି ଜଣେ ଅଗ୍ନିଶମ କର୍ମଚାରୀ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ସାରୁମୁଣା ଗାଁରେ। ତାଙ୍କ ନାଁ ସାଗ୍ରାମ ମୁର୍ମୁ।

୨୦୦୯ରୁ ଥିଲା ସଂପର୍କ, ଏକାଠି ରହୁଥିଲେ: ଯୁବତୀ ଜଣଙ୍କ ୨୦୦୯ ମସିହାରୁ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏକ ପୋଷାକ ସିଲେଇ ଦୋକାନରେ କାମ କରୁଥିଲେ। ସେତେବେଳେ ତାଙ୍କର ସାଗ୍ରାମଙ୍କ ସହିତ ସାକ୍ଷାତ ହୋଇଥିଲା। ସାଗ୍ରାମ ସେତେବେଳେ ଉଦଳା କଲେଜରେ ପାଠ ପଢୁଥିଲେ। ପରିଚୟ ହେବା ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ଦୁହେଁ ଏକାଠି ବୁଲାବୁଲି କରୁଥିଲେ। ପରେ ଏକାଠି ରହିଥିଲେ ମଧ୍ୟ। ଏକାଠି ରହିବା ପରେ ଉଭୟ ଶାରୀରିକ ସଂପର୍କ ରଖିଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସାଗ୍ରାମ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯୁବତୀ ଜଣଙ୍କ ଦୁଇ ଥର ଗର୍ଭବତୀ ହୋଇଥିଲେ। ସେ ଦୁଇ ଥର ଗର୍ଭପାତ କରାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଚାକିରି ପାଇଲା ପରେ ବଦଳି ଗଲେ: ସାଗ୍ରାମ ଚାକିରି ପାଇଲା ପରେ ତାଙ୍କଠାରୁ ଦୂରେଇ ଗଲେ ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ ସାଗ୍ରାମଙ୍କର ଅନ୍ୟତ୍ର ବାହାଘର ବି ଠିକ୍ ହୋଇଯାଇଛି। ଜୁନ୍ ୧୮ ତାରିଖରେ ସେ ବାହା ହେବେ। ଏହା ଜାଣିବା ପରେ ତାଙ୍କ ସହିତ ପ୍ରତାରଣା କରାଯାଇଥିବା ଅଭିଯୋଗ କରି ପୋଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

କ’ଣ ରହିଛି ଅଭିଯୋଗ?: ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ବିବାହର ପ୍ରଲୋଭନ ଦେଖାଇ ସାଗ୍ରାମ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଓ ଗର୍ଭପାତ ମଧ୍ୟ କରାଇଛନ୍ତି। ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।