ଭୁବନେଶ୍ୱର(ସଙ୍ଗୀତା ସାହୁ): ସମସ୍ତଙ୍କ ପରି ମୋର ବି ସ୍ୱପ୍ନ ଥିଲା ଜଣେ ସୁନ୍ଦରୀ ଝିଅକୁ ବାହା ହେବି। ଆଜିକାଲିକା ଯୁବକଙ୍କ ଭଳି ସୁନ୍ଦରୀ ଝିଅଟିଏ ଖାସ୍ ମୋର ହେବ ଆଉ ମତେ ବହୁତ ଭଲ ପାଇବ ବୋଲି ମୁଁ ସ୍ୱପ୍ନ ଦେଖିଥିଲି। ହେଲେ ବାସ୍ତବରେ ଶାରୀରିକ ସୌନ୍ଦର୍ଯ୍ୟ ଅପେକ୍ଷା ମନର ସୁନ୍ଦରପଣଯେ ସଂପର୍କ ସ୍ଥାପନରେ ବିଶେଷ ଗୁରୁତ୍ୱପୂର୍ଣ୍ଣ, ସେ କଥା ସେ ଦିନ ଜାଣିଲି, ଯେଉଁଦିନ ମୁଁ ଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଲି। ପ୍ରତି ମୁହୂର୍ତ୍ତ ପ୍ରମୋଦୀନିଙ୍କୁ ମିସ୍ କଲି। ତାଙ୍କ କଥା, ତାଙ୍କ ହସ, ତାଙ୍କ ବ୍ୟବହାର, ସବୁ ଯେମିତି ମୋତେ ପାଗଳ କରିଦେଉଥିଲା। ଆଉ ସେତିକି ବେଳେ ମୁଁ ଅନୁଭବ କଲି “ମୋ ସ୍ୱପ୍ନ ସୁନ୍ଦରୀ କେବଳ ପ୍ରମୋଦିନୀ”।
ଏହା କୌଣସି ରୋମାଣ୍ଟିକ୍ ଫିଲ୍ମର ଡାଏଲଗ୍ ନୁହେଁ। ଏକ ବାସ୍ତବ ପ୍ରେମ କାହାଣୀର ପଛକଥା। ଜଣେ ସଚା ପ୍ରେମିକର ମନକଥା। ଏ କାହାଣୀ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଜଣେ ଝିଅ ଓ ତାଙ୍କୁ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଥିବା ଯୁବକର କଥା। ଏ କାହାଣୀ ପ୍ରମୋଦିନୀ ଓ ସରୋଜଙ୍କ ଜୀବନର କଥା। ପ୍ରମୋଦିନୀଙ୍କ ବିଷରେ ଜାଣିଲେ ହୁଏତ ଆପଣଙ୍କ ଦେହ ଥରିଯିବ। କେମିରତି ମାତ୍ର ୧୬ ବର୍ଷରେ ତାଙ୍କ ଫୁଲ ପରି ଚେହେରା ପାଲଟି ଯାଏ ଅସୁନ୍ଦର ସେ ବିଷୟରେ ଜାଣିଲେ ଆପଣ ମନରେ ବିଦ୍ରୋହୀ ପାଲଟିଯିବେ। ଆଉ କେମିତି ଏତେ ଘୃଣା ଭିତରେ ସେ ହାରିନଯାଇ ପୁଣି ଠିଆ ହୋଉଇଛନ୍ତି ଜୀବନକୁ ଉତ୍ସବ ପରି ପାଳିବାକୁ ତାହା ଜାଣିଲେ ଆପଣଙ୍କ ଆଖିକୁ ଆସିଯିବ ଆନନ୍ଦର ଲୁହ।
ଯେତେବେଳେ ଦୁନିଆରେ କେମିତି ବଞ୍ଚିବାକୁ ହୁଏ ସେକଥା ଠିକ୍ରେ ଜାଣି ନ ଥିଲେ, ସେତେବେଳେ ମାତ୍ର ୧୬ ବର୍ଷ ବୟସରେ ଏସିଡ୍ ଆକ୍ରମଣର ଶିକାର ହୁଅନ୍ତି ପ୍ରମୋଦିନୀ(ରାନୀ)। ଆଉ ଏଥି ପାଇଁ ସମାଜ ଓ ଆତ୍ମୀୟମାନେ ତାଙ୍କଠୁ ମୁହଁ ମୋଡ଼ିନେଲେ। ହେଲେ କଷ୍ଟ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ କେବେ ଭାଙ୍ଗି ପଡିନାହାଁନ୍ତି କି ନିରାଶ ହୋଇ ନାହାଁନ୍ତି ପ୍ରମୋଦିନୀ । ନିଜ ଦୃଢ ମନୋବଳ ଓ ସାହାସ ପାଇଁ ସମାଜରେ ଏବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କେବଳ ନିଜ ପାଇଁ ନୁହେଁ ଏମିତି ଅନେକ ପୀଡିତାଙ୍କ ପାଇଁ ସାହାସର ଉତ୍ସ ସାଜିଛନ୍ତି ଜଗତ୍ସିଂହପୁରର ଝିଅ ପ୍ରମୋଦିନୀ ରାଉଳ।
କେମିତି ହେଲା ପ୍ରେମ
ପ୍ରମୋଦିନୀ ଗୁରୁତର ଭାବେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥାନ୍ତି। ଏତିକି ବେଳେ ସେଠି ପହଞ୍ଚନ୍ତି ସରୋଜ। ସେହି ହସ୍ପିଟାଲରେ କାମ କରୁଥିବା ଜଣେ ବନ୍ଧୁଙ୍କୁ ଭେଟିବାକୁ ସରୋଜ ପ୍ରାୟ ସବୁଦିନ ହସ୍ପିଟାଲ ଯାଆନ୍ତି। ଏତିକି ବେଳେ ଭେଟହୁଏ ପ୍ରମୋଦୀନିଙ୍କ ସହ। ଜଣେ ଓଡିଆ ଝିଅ ମୃତ୍ୟୁ ସହ ଲଢୁଥିବା ଖବର ଜାଣି ସମ୍ୱେଦନଶୀଳ ହୋଇପଡନ୍ତି ସରୋଜ। ମାନବିକତା ଦୃଷ୍ଟରୁ ପ୍ରମୋଦିନୀଙ୍କୁ ଭେଟନ୍ତି। ଏମିତି ଭେଟିବା ଧିରେ ଧିରେ ଏକ ନିତିଦିନିଆ କାମ ହୋଇଯାଏ ତାଙ୍କର। ମିଳାମିଶା କ୍ରମେ ବନ୍ଧୁତ୍ୱର ରୂପ ନିଏ। ହେଲେ ସେଇ ବନ୍ଧୁତ୍ୱ କେବେ ପ୍ରେମ ସମ୍ପର୍କରେ ପରିଣତ ହୋଇଗଲା ଦୁହେଁ ଜାଣିପାରିଲେନି।
ପ୍ରମୋଦୀନ ହସ୍ପିଟାଲର ସେଇ ବେଡ୍ରେ ଜୀବନ ମୃତ୍ୟୁର ଦୋଛକିରେ ପଡିଥାନ୍ତି। ସରୋଜ କାମ ସାରି ଫେରନ୍ତି ଭୁବନେଶ୍ୱର । କିନ୍ତୁ ଏଠି ମନ ଝୁରେ ସେଇ ଝିଅକୁ। ହସ୍ପିଟାଲର ବେଡ୍ ପାଖରେ ଯାହା ସହ ଘଣ୍ଟା ଘଣ୍ଟା ଗପୁଥିଲେ। ଯାହାର ଆଶୁ ଆରୋଗ୍ୟ କାମନା କରି ଅଜାଣତରେ କେତେଥର ଲୁହ ବୁହାଇଥିଲେ, ସେଇ ଝିଅ କଥା ମନେପଡେ। ଏଥର ସରୋଜ ଜାଣିପାରିଲେ ଯେ, ସେ ପ୍ରମୋଦିନୀଙ୍କୁ ବହୁତ ଭଲ ପାଆନ୍ତି। ଆଉ ଠିକ୍ କରି ନିଅନ୍ତି ଏ ଭାବାବେଗକୁ ସେ ବିବାହର ନାଁ ଦେବେ ବୋଲି।
ମନକଥା ପ୍ରମୋଦିନୀଙ୍କୁ କହିବା ପରେ ପ୍ରଥମେ ସେ ମନା କରିଦିଅନ୍ତି। ହେଲେ କଥାରେ ଅଛି “ବାହାଘର ଯୋଡି ସ୍ୱର୍ଗରେ ଗଢାହୋଇ ଆସିଥାଏ” । ସେ “ନାଇଁ” କିଛିଦିନ ପରେ “ହଁ” ରେ ବଦଳିଗଲା। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ୱେ ବାହାଘର ପାଇଁ ୨ ପରିବାର ରାଜି ହେଲେ। ଆଉ ବାହାଘରର କଢ ଫୁଟିଲା ଗଲା ଫ୍ରେବୃଆରୀ ୧୪ରେ। ଭାଲେଣ୍ଟାଇନ୍ ଡେ’ରେ ସରିଛି ରିଂ ସରେମନି। ଅପେକ୍ଷା ବାହାଘରକୁ ।
ଚିରନ୍ତନ ପ୍ରେମ କାହାଣୀ ଶବ୍ଦଟି ଆପଣ ହୁଏତ ବହିରେ ପଡିଥିବେ, କିନ୍ତୁ ବାସ୍ତବ ଜୀବନରେ ପ୍ରେମର ଏମିତି ଏକ ଉଦାହରଣ ଆପଣଙ୍କ ଆଖିକୁ ମଧ୍ୟ ଓଦା କରି ଦେଇଥିବ।
ଓଡିଶା ରିପୋର୍ଟର ଏହି ଦୁଇ ପ୍ରେମପକ୍ଷୀଙ୍କୁ ଭେଟିବା ଅବସରରେ ସରୋଜ କ’ଣ କହିଛନ୍ତି ଜାଣନ୍ତି ? “ଆଜି ସେ ସ୍ୱପ୍ନ ମୋର ପୂରଣ ହେବାକୁ ଯାଉଛି । ମୋର ଅର୍ଦ୍ଧାଙ୍ଗିନୀ ହେବାକୁ ଯାଉଥିବା ଝିଅଟି ଯେ ଖୁବ୍ ସୁନ୍ଦର ସେ କଥା ମୁଁ ନିର୍ଦ୍ୱନ୍ଦ୍ୱରେ କହିପାରେ। ତାଙ୍କ ବିଶାଳ ହୃଦୟ, ତାଙ୍କ ଧୈର୍ଯ୍ୟ ଓ ସାହସ ଅନ୍ୟମାନଙ୍କ ପାଇଁ ଓ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ମନର ସୁନ୍ଦରତା ସବୁବେଳେ ତାଙ୍କ ଚେହେରାରେ ଉତ୍ଫୁଲିତ ହେଉଛି। ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ। ଆଉ ମୁଁ ଆଜି ଖୁବ୍ ଗର୍ବିତ ଯେ, ଈଶ୍ୱର ମୋତେ ଏଭଳି ଜଣେ ଜୀବନସାଥି ଉପହାର ଦେଲେ।”
https://youtu.be/-Zm4ifuJ4fw
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।