ମା’ର ଶବକୁ କାନ୍ଧରେ ନେଲା ପୁଅ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୂବନ ମେଡିକାଲରେ ମୃତ୍ୟୁ ଘଟିଥିବା ମା’ର ଶବକୁ ପୁଅ କାନ୍ଧରେ ନେଇ ଚାଲି ଚାଲିଯିବା ଘଟଣା ପୁଣି ଦାନାମାଝି ଘଟଣାର ପୁନରାବୃତ୍ତି ହୋଇଛି। ରସୁଲପୁର ବ୍ଲକ ବଂଟରା ଗ୍ରାମର କାଳିଆ ମୁଣ୍ଡାର ମା ମାଇନାର ଦେହ ଅସୁସ୍ଥ ଯୋଗୁ ତାକୁ ଗତକାଲି ଅପରାହ୍ନରେ ମଧୂବନ ମେଡିକାଲରେ ଭର୍ତୀ କରାଯାଇଥିଲା। ରୋଗୀର ଅବସ୍ଥା ଗୁରୁତର ଥିବାରୁ ତାକୁ ଯାଜପୁର ମେଡିକାଲକୁ ନେଇଯିବା ଲାଗି ଡାକ୍ତାର ତା ପୁଅକୁ ପରାମର୍ଶ ଦେଇଥିଲେ। ହେଲେ ଅର୍ଥାଭାବରୁ ମାଆକୁ ନେଇ ଯାଜପୁର ଯିବା ତା ପାଇଁ ସମ୍ଭବ ହୋଇ ନଥିଲା। କିଛି ସମୟପରେ ମା ମାଇନାର ମୃତ୍ୟୁ ଘଟିଥିଲା। କାଳିଆ କାହାକୁ ଅପେକ୍ଷା ନକରି ମାର ଶବକୁ ନିଜେ କାନ୍ଧେଇ ଘରକୁ ଯାଇଥିଲା। ତେବେ ପ୍ରକୃତପକ୍ଷେ କେଉଁ ଘଟଣାକ୍ରମରେ ସେ ତା ମାଆର ଶବକୁ କାନ୍ଧରେ ବୋହିକରି ନେଲା ତାହା ତଦନ୍ତ ସାପେକ୍ଷ।  ଘଟଣା ସମ୍ପର୍କରେ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।