ହର୍ ହର୍ ଧ୍ୱନିରେ କମ୍ପିଲା ଶୈବପୀଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ଆଜି ମହାଆଡମ୍ବରରେ ପାଳିତ ହୋଇଛି ମହାଶିବରାତ୍ରୀ। କୋଭିଡ୍ କଟକଣା ଯୋଗୁ ଶୈବ ପୀଠ ଗୁଡ଼ିକରେ ସେତେଟା ଗହଳି ଦେଖିବାକୁ ମିଳିନଥିଲେ ହେଁ, ଶ୍ରଦ୍ଧାଳୁମାନେ ମଜି ଯାଇଛନ୍ତି। ସବୁ ଶୈବପୀଠରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ରକ୍ଷା କରି ଜାଗର ଦୀପ ଜାଳିଛନ୍ତି।

ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ। କୋଭିଡ୍ କଟକଣା ଭିତରେ ଭୋରରୁ ପୀଠରେ ନୀତିକାନ୍ତି ଚାଲିଛି। ଏହାସହ ମନ୍ଦିରରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ବି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି। ଏବେ ସମସ୍ତଙ୍କ ମହାଦୀପ ଉଠିବା ସମୟକୁ ଅପେକ୍ଷା କରି ରହିଛନ୍ତି। ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ।

ସେହିପରି ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଶୈବପୀଠରେ ଭାବବିହ୍ୱଳ ପରିବେଶ ଦେଖିବାକୁ ମିଳିଛି। ଏଠି ଭକ୍ତଙ୍କ ରହିଛି ଭିନ୍ନ ଆବେଗ। କିଏ ମାନସିକ ରଖି ନୀଳ ପୋଖରୀରେ ବୁଡ଼ ପକାଇ ଦଣ୍ଡ ପ୍ରଣାମ କରୁଛନ୍ତି ତ ଆଉ କିଏ ମନ୍ଦିର ବେଢ଼ା ପରିକ୍ରମା କରୁଛନ୍ତି। କରୋନା କଟକଣାକୁ ଆଖି ଆଗରେ ରଖି ଦୀପ ଜାଳିବା ପାଇଁ ବାରଣ କରାଯାଇଛି। ଏଠାରେ ଭୋର୍ ୪ଟା ୧୫ରେ ମହାଦୀପ ଉଠିବ।

ତେବେ କରୋନା ଯୋଗୁ ଅଧିକାଂଶ ଶୈବ ପୀଠରେ ସେଭଳି ଆଖିଦୃଶିଆ ଭିଡ଼ ଦେଖିବାକୁ ମିଳିନାହିଁ। କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠରେ ଆସନ୍ତାକାଲି ସକାଳ ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଥିବାରୁ ଝୁଲାପୋଲ କି ମନ୍ଦିର ବେଢ଼ାରେ ଏଥର ଗହଳି ଚହଳି ଦେଖିବାକୁ ମିଳିନାହିଁ। ସେହିପରି ପୁରୀରେ ବି କଡ଼ା କଟକଣା ଭିତରେ ଶ୍ରଦ୍ଧାଳୁ ଶ୍ରୀ ଲୋକନାଥଙ୍କୁ ଦର୍ଶନ କରିଛନ୍ତି। ଏଠି ଭୋର୍ ୪ଟାରେ ମହାଦୀପ ଉଠିବ।

ଢେଙ୍କାନାଳର କପିଳାସ ପୀଠରେ କୋଭିଡ କଟକଣା ମଧ୍ୟରେ ପାଳନ ହୋଇଛି ଜାଗର ଯାତ୍ରା। କାଁ ଭାଁ ଶ୍ରଦ୍ଧାଳୁଙ୍କୁ ଛାଡ଼ିଦେଲେ ଖାଁ ଖାଁ ରହିଛି କପିଳାସ ପୀଠ। ଜିଲ୍ଲା ଓ ରାଜ୍ୟ ବାହାରର ଭକ୍ତଙ୍କୁ ଏଠାକୁ ବାରଣ କରାଯାଇଛି। ଜିଲ୍ଲା ଭିତରର ଭକ୍ତ ଓ ସେବାୟତଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ସମସ୍ତ ରୀତିନୀତି ସୂଚାରୁ ରୂପରେ ଚାଲିଥିବା ବେଳେ ଭୋର ସାଢେ ୪ଟାରେ ମହାଦ୍ଵୀପ ଉଠିବାର ନୀତି ନିର୍ଘଣ୍ଟ କରାଯାଇଛି। ସେହିପରି ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଆଦି ଶୈବପୀଠ ଗୁଡ଼ିକରେ କଟକଣା ମଧ୍ୟରେ ପାଳନ ହେଉଛି ହେଉଛି ଶିବରାତ୍ରୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।