ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଇସ୍ତଫା ଦେଲେ କୋରାପୁଟ ପୌରଧ୍ୟକ୍ଷ ବିଶ୍ୱଭୂଷଣ ପଟ୍ଟନାୟକ

କୋରାପୁଟ:  ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କୋରାପୁଟ ପୌରଧ୍ୟକ୍ଷ ବିଶ୍ୱଭୂଷଣ ପଟ୍ଟନାୟକ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଏଡିଏମଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କ ନାଁରେ କୋରାପୁଟ ଟାଉନ ଥାନାରେ ମାମଲା ରୁଜୁ କରାଯାଇଥିଲା। ଗତ ସପ୍ତାହରେ ମାମଲା ରୁଜୁ ହୋଇଥିଲା । ୧୩ ନମ୍ବର ୱାର୍ଡର  କାଉନସିଲର ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ।

ପୌରଧ୍ୟକ୍ଷ ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି, ‘ମହିଳା କାଉନସିଲର ମୋ ନାଁରେ  ମିଥ୍ୟା ଅଭିଯୋଗ ଦେଇଛନ୍ତି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଦଳର ସମ୍ମାନ ରକ୍ଷା କରିବା ପାଇଁ ମୁଁ  ଇସ୍ତଫା ଦେଇଛି।’

ଯୁବ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି,  ପୌରାଧ୍ୟକ୍ଷ  ବିଶ୍ୱଭୂଷଣ ପଟ୍ଟନାୟକ ଆଜି ଦିନ ୧୧ଟାବେଳେ ଇସ୍ତଫା ଦେଇଛନ୍ତି। ଗତକାଲି ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା।  ୧୩ ନମ୍ବର ୱାର୍ଡ ମହିଳା କାଉନସିଲର  ବିଶ୍ୱଭୂଷଣଙ୍କ ନାମରେ ଅଭିଯୋଗ  କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଓ ନିରପକ୍ଷ ତଦନ୍ତର ସହାୟକ  କରିବା ପାଇଁ   ପୌରାଧ୍ୟକ୍ଷ ପଦରୁ ସେ ଇସ୍ତଫା  ଦେଇଛନ୍ତି।  ନିରପକ୍ଷ ତଦନ୍ତ ସରିଲା ପରେ ଦଳ ପକ୍ଷରୁ ବୈଠକ ବସିବ।  ଦଳ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ନିଷ୍ପତ୍ତି ନେବୁ।।

ବିଶ୍ୱଭୂଷଣ ପଟ୍ଟନାୟକଙ୍କ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ  ବନ୍ଦ  ଡାକରା ଦିଆଯାଇଥିଲା। ତେବେ ତାଙ୍କ ଇସ୍ତଫା ପରେ ବନ୍ଦ ପାଳନ କରାଯାଇ ନଥିବା ସୂଚନା ମିଳିଛି।