ଏତେ ସପନକୁ ରାତି କାହିଁ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଗୋଟିଏ ଢ଼ଗ ଅଛି। ଏତେ ସପନକୁ ରାତି କାହିଁ ? ଏହାର ଅର୍ଥ ବୋଧ ହୁଏ କାହାକୁ ଅଛପା ନଥିବ। ଏବେ ଏହି ଉକ୍ତିଟି ରାଜ୍ୟ ସରକାର ଦେଖାଥିବା ଶିଳ୍ପାୟନ ସ୍ୱପ୍ନକୁ ନେଇ ପ୍ରଯୁଜ୍ୟ ହେବ କହିଲେ ଭୁଲ ହେବ ନାହିଁ। କାରଣ ପୁଳା ପୁଳା ପୁଞ୍ଜି ଆସିବ । ଦୌଡ଼ିବ ଓଡ଼ିଶାର ଶିଳ୍ପାୟନ ଗାଡ଼ି । ଏଥିପାଇଁ ୨୦୧୬ରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମେକ୍ ଇନ୍ ଓଡ଼ିଶା ଅଭିଯାନ। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମେକ ଇନ୍ ଓଡ଼ିଶା କନକ୍ଲେଭ ଓ ରୋଡ୍ ସୋ ଆୟୋଜନ କରି କୋଟି କୋଟି ଟଙ୍କା ବି ଖର୍ଚ୍ଚ କରିଥିଲେ।  ଯାହା ଏବେ ଏକ ପ୍ରକାର ଫେଲ୍ ମାରିଛି।  ହାତଗଣତି କେତୋଟି  କଂପାନିକୁ ଛାଡି ଦେଲେ ପୁଞ୍ଜି ଖଟାଇବା ଲାଗି ଆଗ୍ରହ ପ୍ରକାଶ କରିଥିବା ଅନେକ ଶିଳ୍ପସଂସ୍ଥା ରାଜ୍ୟରୁ ମୁହଁ ଫେରାଇ ନେଇଛନ୍ତି।

୨୦୧୬ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବର ଦୁଇ ତୃତୀୟାଂଶ କାଯର୍ୟକାରିତାର ବିଭିନ୍ନ ପଯର୍ୟାୟରେ ରହିଛି । ଏସବୁ ପ୍ରକଳ୍ପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ ଲକ୍ଷ୍ୟ ରହିଥିବା ୨୦୧୮ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଉଦ୍‌ଘାଟନୀ  ଅଭିଭାଷଣରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ନିକଟରେ ଶିଳ୍ପମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଭିନ୍ନ କଥା କହୁଛି।  ଶିଳ୍ପମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୨୦୧୬ କନକ୍ଲେଭ ଅବସରରେ ୮୪ଟି ଶିଳ୍ପସଂସ୍ଥା ରାଜ୍ୟରେ ପୁଞ୍ଜି ନିବେଶ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ତେବେ ସେଥି ମଧ୍ୟରୁ ମାତ୍ର ୬ଟି ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ୨୫ଟି ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟ ରହିଛି । ଅର୍ଥାତ୍ ୨୦୧୬ରେ ଆସିଥିବା ପ୍ରାସ୍ତାବର ମାତ୍ର ଏକ ତୃତୀୟାଂଶରୁ ସାମାନ୍ୟ ଅଧିକ ବାସ୍ତବତାର ରୂପ ନେଇଛି।

ଶିଳ୍ପମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାଯୀ ରାଜ୍ୟକୁ ପୁଞ୍ଜି ଟାଣିବା ଲାଗି ବିଭିନ୍ନ କନ୍ସଲ୍ଟାନ୍ସି ଏଜେନ୍ସି ଜରିଆରେ ଇପିକଲ୍ ଖର୍ଚ୍ଚ କରିଛି ୨୦ କୋଟିରୁ ଅଧିକ ଟଙ୍କା । ସେହିପରି ପ୍ରିଣ୍ଟ ଓ ଇଲେକଟ୍ରୋନିକ୍‌ ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ବି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୬ ଓ ୨୦୧୮ କନ୍‌କ୍ଲେଭ ମାଧ୍ୟମରେ ୬ ଲକ୍ଷ ୨୬ ହଜାର କୋଟି ଟଙ୍କାର ୨୮୬ଟି  ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା । ସେଥିରୁ ୧୫୪ଟି ପ୍ରକଳ୍ପରୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ମଞ୍ଜୁରି ଦିଆଯାଇଛି।  ମାତ୍ର ସେଥିରୁ କେବଳ ୧୧ଟି ପ୍ରକଳ୍ପ ଆଂଶିକ କିମ୍ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ୮୧ଟି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପଯର୍ୟାୟରେ ରହିଛି । ଶିଳ୍ପ ବିଶେଷଜ୍ଞଙ୍କ କହିବା କଥା, ଓଡ଼ିଶା ଉପରେ ନିବେଶକଙ୍କ ଭରସା ପାଉନି ।  ରାଜ୍ୟ  ସରକାରଙ୍କ ସୁନେଲି ସ୍ୱପ୍ନ ଉପରେ ସେମାନଙ୍କର ବିଶ୍ୱାସ ନାହିଁ । ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ନାଁକୁ ମାତ୍ର, ମଞ୍ଜୁରି ମିଳିବା ପରେ ବି ନିବେଶକଙ୍କୁ ବିଭିନ୍ନ ବିଭାଗକୁ ଦୌଡ଼ିବାକୁ ପଡ଼ୁଛି ତେଣୁ ଓଡ଼ିଶାରୁ ମୁହଁ ମୋଡୁଛନ୍ତି ଶିଳ୍ପ ସଂସ୍ଥା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।