ମାଳୁଆଗୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ବିଜେପିର ଭୁବନ ବନ୍ଦ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମାଳୁଆଗୁଡ଼ା ଗାଁରେ ନାବାଳିକା ଦୁଷ୍କର୍ମ  ଓ ହତ୍ୟା ଘଟଣାରେ ଆଜି  ଭୁବନ ବନ୍ଦ ପାଳନ କରାଯାଉଛି। ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଭୁବନ କାଳିବଜାର ଠାରେ ଟାୟାର ଜାଳି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଦିନ ୧୨ଟା ଯାଏଁ ଏହି ଆନ୍ଦୋଳନ ଚାଲିବ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ମାଳୁଆଗୁଡ଼ା ଗାଁରେ ରଙ୍ଗାଧର  ପଢାନଙ୍କ ୧୦ ବର୍ଷର ଝିଅକୁ ସେହି ଗାଁର ଶିବାନନ୍ଦ ପ୍ରଧାନ ରାତିରେ ଅପହରଣ କରି ଦୁଷ୍କର୍ମ କରବା ସହ ଅମାନୁଷିକ ଭାବେ ହତ୍ୟା କରି ଏକ ପାଳଭାଡ଼ିରେ ପକାଇ ଦେଇଥିଲା। ପରିବାର ଲୋକେ  ଶିକ୍ଷିତ ହୋଇ ନ ଥିବାରୁ  ସେମାନେ  ଶବକୁ  ଘର ପଛ ବାଡ଼ିରେ ପୋତି ଦେଇଥିଲେ। ଭୁବନ  ପୋଲିସ ଏ ସମ୍ପର୍କରେ  କୌଣସି ସୂତ୍ରରୁ ଖବର ପାଇ  ୨୫ ତାରିଖ ସନ୍ଧ୍ୟାରେ  ଗାଁରେ ପହଞ୍ଚି ତଦନ୍ତ କରିଥିଲା। ୨୬ ତାରିଖରେ ପୋତା ଯାଇଥିବା ମୃତଦେହକୁ  ପୋଲିସ ଜବତ କରିବା ସହିତ ଅଭିଯୁକ୍ତ ଶିବାନନ୍ଦକୁ ମଧ୍ୟ ଗିରଫ କରିଥିଲା।