‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ପୁଲିସ ବିରୋଧରେ ଗର୍ଜିଲେ ଗ୍ରାମବାସୀ। ଏକତ୍ରିତ ହେଲେ ୯ଟି ଗ୍ରାମର ଶତାଧିକ ଲୋକେ। ନିରୀହ ଗ୍ରାମବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ। ଆଉ ପୁଲିସ୍‌ର ଏନକାଉଣ୍ଟର ମିଛ ବୋଲି କହିଲେ।

ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଂଚଳ ମୁଦୁଲିଗୁଡାରେ ପ୍ରଜାମେଳି ହୋଇଥିଲା। ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚ ମାଧ୍ୟମରେ ମୁଦୁଲିଗୁଡା ଘାଟ ଠାରେ ସମସ୍ତ ଗ୍ରାମବାସୀ ପହଞ୍ଚିଥିଲେ। ପ୍ରଜାମେଳିରେ ପୁଲିସ ସେମାନଙ୍କ ଅଂଚଳର ଲୋକଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ କରିଥିଲେ।

ଏଥିସହ ଗତ ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ପୁଲିସର ଏସଓଜି ଏବଂ ଡିଭିଏଫ ଯବାନମାନେ  ମିଳିତ ଭାବରେ ଯେଉଁ ଏକ ମୋଟର ଲଞ୍ଚ ଉପରକୁ ଗୁଳି ଚାଳନା କରିଥିଲେ ସେଥିରେ ମାଓବାଦୀ ନଥିବା ଗ୍ରାମବାସୀ କହିଥିଲେ। ସେହି ମୋଟର ଲଞ୍ଚରେ ସେତ ହନ୍ତାଳ ନାମ୍ନୀ ଜଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ  ଅଣ୍ଡିରାପାଲ୍ଲୀ ପଞ୍ଚାୟତର ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା କହିଥିଲେ। ତେବେ ବାରମ୍ବାର ଗ୍ରାମବାସୀ କହିବା ସତ୍ତ୍ୱେ ପୁଲିସ କ’ଣ ପାଇଁ ସେମାନଙ୍କ ଉପରକୁ ଗୁଳିଚାଳନା କଲା ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ମୋଟର ଲଞ୍ଚର ୩ ମହିଳା ଓ ୬ ପୁରୁଷ ଥିଲେ। ଯଦି କାହାର ଜୀବନ ଯାଇଥା’ନ୍ତା, ତା’ହେଲେ ପୁଲିସ ଦାୟୀ ରହିଥା’ନ୍ତା କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ପ୍ରଜାମେଳିରେ ନାକାମାମୁଢି ପଞ୍ଚାୟତର ୯ଟି ଗ୍ରାମ ଯଥା ଆମ୍ବିଲିବେଡ଼ା, ଟିକରପଡ଼ା, ଖଜୁରୀଗୁଡ଼ା, ବକୁଳି, ନାରୀଙ୍ଗଝୋଲି, ମୁଦୁଲିଗୁଡ଼ା, ରାବା, ଟାଇମାଲ ଓ ଲାଡିଗୁଡ଼ାର ଶତାଧିକ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି। ଏହାସହ ପୁଲିସ ଗୁଳି ଚାଳନା କରିବା ପରେ ମୋଟର ଲଞ୍ଚରେ ଥିବା ଗ୍ରାମବାସୀ ରାତି ସାରା ସେହି ଲଞ୍ଚରେ ରହି ବଡ଼ି ଭୋର ଘରକୁ ଫେରିଥିଲେ।

ରାତିରେ କିନ୍ତୁ ପୁଲିସ ମୁଦୁଲିଗୁଡାର ସମସ୍ତ ଘରକୁ ଯାଇ ନିରୀହ ଆଦିବାସୀଙ୍କୁ ଘରୁ ବାହାରକୁ କାଢ଼ି ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏପରି ନିରୀହ ଆଦିବାସୀଙ୍କୁ ପୁଲିସ ମାରି ନକ୍ସଲ ଦର୍ଶାଉଥିବା ପ୍ରଜାମେଳିରେ କହିଥିଲେ। ଯଦି ଆଗାମୀ ଦିନରେ ପୁଲିସ ଏହି  ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରେ, ତା’ହେଲେ ବିଏସଏଫ କ୍ୟାମ୍ପକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।