ଓଡ଼ିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ, ଏହି ଜିଲ୍ଲାରେ ଲାଗୁ ହେଲା

ମାଲକାନଗିରି (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଏହି ଲହରକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ଲାଗୁ କରାଯାଇଛି। ଏବେ ଓଡ଼ିଶାକୁ ମଧ୍ୟ ନାଇଟ୍ କର୍ଫ୍ୟୁ ଫେରିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁର ଘୋଷଣା କରାଯାଇଛି।

ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ କରାଯିବ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ମାର୍ଚ୍ଚ ୩୧ ତାରିଖ ରାତି ୧୧. ୫୯ ମିନିଟ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ପର୍ବ ପାଳନକୁ ବାରଣ କରାଯାଇଛି। କୋଭିଡ୍ ଗାଇଡଲାଇନ୍ ସହ ୫୦ଜଣଙ୍କୁ ନେଇ ହେବ ଦୋଳ ମେଳଣ। ସେହିପରି ସର୍ବସାଧାରଣ ସ୍ଥାନରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ ଯାତ୍ରା।

ରାଜ୍ୟରେ ତିନି-ଚାରି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଆଖି ଆଗରେ ରଖି ଆସନ୍ତାକାଲି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ, ଏସ୍‌ପି ମାନଙ୍କ ସହ ସମୀକ୍ଷା କରିବେ। କୋଭିଡ୍ ନିୟନ୍ତ୍ରଣ ପାଇଁ ପୁଣି ଥରେ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି। ସ୍ଥିତି ଦେଖି ଲକ୍‌ଡାଉନ୍ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି କଟକ। ଏହି ଜିଲ୍ଲାରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪, ବରଗଡ଼ରୁ ୩, ବଲାଙ୍ଗିରରୁ ୯, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୨, ପୁରୀରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।