୯୩ ଲକ୍ଷ ଟଙ୍କା ଚଳୁ କରିଦେଲେ, ସିବିଆଇ ଜାଲରେ ପୂର୍ବତନ ସବ୍ ପୋଷ୍ଟମାଷ୍ଟର

ମାଲକାନଗିରି ( ଓଡ଼ିଶା ରିପୋର୍ଟର): ପୋଷ୍ଟାଲ ଦୁର୍ନୀତି ମାମାଲାରେ ସିବିଆଇ ରେଡ୍‌।  ମାଲକାନଗିରି ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ପ୍ରାୟ ୯୩ ଲକ୍ଷ ଟଙ୍କା ହଡ଼ପ ନେଇ ମାମଲା ରୁଜୁ କରିଛି ସିବିଆଇ। ଭୁବନଶ୍ୱରର ସିବିଆଇର ଏକ ୪ ଜଣିଆ ଟିମ୍‌ ଏମଭି 79 ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସ ପହଞ୍ଚି ନିଜ ଆଡୁ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବହୁ  ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସିବିଆଇ ଜବତ କରିଥିବା ଜଣାପଡ଼ିଛି।

ଏଥିସହ  ପୋଷ୍ଟ ଅଫିସର ନିଲମ୍ବିତ ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ବିଶ୍ୱନାଥ ପୋଡ଼ିଆମି ଏବଂ ଅନ୍ୟ  ଦୁଇଜଣ ରଙ୍ଗାମା ରାଜୁ ଓ ଘାସିରାମ ମାଡ଼କାମିଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଅଗଷ୍ଟ ୨୯ ୨୦୧୯ରୁ ଡିସେମ୍ବର ୩୧  ୨୦୨୦ ମଧ୍ୟରେ ଏହି ଘୋଟାଲା ହୋଇଥିବା ସିବିଆଇ ସୂଚନା ଦେଇଛି। ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କ ଘରେ ମଧ୍ୟ ସିବିଆଇ ରେଡ୍‌ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବିଶ୍ୱନାଥ ପୋଡ଼ିଆମି ଅନ୍ୟ ୨ ଜଣଙ୍କ ସହ ମିଶି ଏହି ଘୋଟାଲା କରିଥିବା ଜଣାପଡ଼ିଛି।

ପୋଡ଼ିଆମି ନିଜ କ୍ଷମତାକୁ ଅପବ୍ୟବହାର କରି  ନିଜର ୟୁଜର୍ ଆଇଡି ଓ ପାସଵାର୍ଡ ବ୍ୟବହାର କରି ପୋଷ୍ଟ ଅଫିସ୍‌ ଆକାଉଣ୍ଟରୁ ଏହି ଟଙ୍କା କୋର୍ ବ୍ୟାଙ୍କିଙ୍ଗ ଜରିଆରେ ଟ୍ରାନ୍ସଫର କରିଥିବା ଜଣାପଡ଼ିଛି। ପରେ ଏହି ଟଙ୍କାକୁ ୩ ଜଣ ମିଶି ନିଜ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ। କୋରାପୁଟ ପୋଷ୍ଟାଲ ଡିଭିଜନ୍‌ରେ କାର୍ଯ୍ୟରତ ସହକାରୀ ପୋଷ୍ଟ ସୁପରିଟେଣ୍ଟେଣ୍ଟ ରାଜକିଶୋର ମହାରଣା ସିବିଆଇରେ ଅଭିଯୋଗ କରିଥିଲେ। ବାର୍ଷିକ ଇନ୍ସପେକ୍ସନ୍ ବେଳେ ଲଚ୍ଛିପେଟାସ୍ଥିତ ପୋଷ୍ଟ ଅଫିସରେ ଏହି ଟଙ୍କା ଜାଲିଆତି ହୋଇଥିବା ଜଣା ପଡ଼ିଥିଲା ବୋଲି ରାଜକିଶୋର ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୧୨୦(ବି),୪୨୦,୪୦୯ ଏବଂ ଦଫା ୧୩(୨), ୧୩(୧)(ଏ) ଅନୁସାରେ ମାମଲା ରୁଜୁ ହୋଇଛି। ତେବେ ପୂର୍ବରୁ ବିଶ୍ୱନାଥଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।