ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅତିଥି ହେବେ ମାଲକାନଗିରିର ବଣ୍ଡା ଦମ୍ପତି

malkangiriମାଲକାନଗିରି: ଜାନୁଆରୀ ୨୬ ପ୍ୟାରେଡରେ ମାଲକାନଗିରିର ବଣ୍ଡା ଦମ୍ପତି ଧବଲୁ ଶିଶା ଓ ତାଙ୍କ ପତ୍ନୀ ସମାରି ଶିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଅତିଥି ହେବେ। ଏଥିପାଇଁ ସେମାନଙ୍କ ନିକଟକୁ ଏକ ଚିଠି ଆସିଛି । ସାଧାରଣତନ୍ତ୍ର ଦିବସରେ ଧବଲୁ ଓ ତାଙ୍କ ପତ୍ନୀ ସମାରି ରାଜ୍ୟ ଅତିଥି ହେଉଥିବାରୁ ପୂରା ଗାଁରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଉଡାଜାହାଜରେ ଧବଲୁ ଓ ସମାରି ଦିଲ୍ଲୀ ଯାଉଥିବାରୁ ସେମାନଙ୍କ ପାରମ୍ପରିକ ବେଶଭୂଷା ବି ପ୍ରସ୍ତୁତ କରିସାରିଲେଣି।

ଆମେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବୁ ବୋଲି କେବେ ସ୍ୱପ୍ନ ଦେଖୁ ନଥିଲୁ ବୋଲି  ବଣ୍ଡା ଦମ୍ପତି ଧବଲୁ ଓ ସମାରି କହିଛନ୍ତି । ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ସହ ବର୍ଷା ଓ ପବନ ହେଲେ ଆମ ଘର ଭାଙ୍ଗି ଯାଉଛି, ବର୍ଷା ଅଧିକ ହେଲେ ଚାଷ ଜମିରେ ପାଣି ମାଡ଼ି ଫସଲ ସବୁ ନଷ୍ଟ ହେଇ ଯାଉଛି । ଏଭଳି ଅନେକ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବୁ ବୋଲି ସମାରି କହିଛନ୍ତି।

ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମକୃଷ୍ଣ ଗଣ୍ଡ କହିଛନ୍ତି ଆମେ ସମସ୍ତେ ଗର୍ବ ଅନୁଭବ କରିବା କଥା ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଆମ ଜିଲ୍ଲାରୁ ରାଜ୍ୟ ଅତିଥି ହୋଇ ଆଦିମ ଜନଜାତି ବଣ୍ଡା ଶ୍ରେଣୀର ଦମ୍ପତି ଦିଲ୍ଲୀ ପ୍ୟାରେଡରେ ଅଂଶ ଗ୍ରହଣ କରିବା ପାଇଁ ଯାଉଛନ୍ତି ।

ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମକୃଷ୍ଣ ଗଣ୍ଡ ସମାରି ଓ ଧବଲୁଙ୍କୁ ନେଇ ଦିଲ୍ଲୀ ଯିବେ। ଏନେଇ ସମସ୍ତ କାଗଜପତ୍ର କାମ ଶେଷ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏମାନଙ୍କୁ ଦିଲ୍ଲୀ ନିଆଯିବ।