ମହାରାଷ୍ଟ୍ରରୁ ଓଡ଼ିଶା ଆସିଲା ଷଣ୍ଢ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହାରାଷ୍ଟ୍ରରରୁ ଓଡ଼ିଶା ଆସିଲା ଷଣ୍ଢ! ଏ ଷଣ୍ଢ ଆପେ ଆପେ ଆସିନି। ତାକୁ ଅଣାଯାଉଛି। ମାଲକାନଗିରି ପୁଲିସ ତାକୁ ଆଣିଛି। ତାହାହେଲେ ଏଠି ପ୍ରଶ୍ନ ଉଠୁଛି ଷଣ୍ଢ କଣ ଭୁଲ୍‌ କଲା କି? ଦେଖିବାକୁ ଗଲେ ଷଣ୍ଢ କିଛି ଭୁଲ୍‌ କରିନି। ବରଂ ତାକୁ ୪ ଜଣ ଠକ ମାଲକାନଗିରି ଆଣି ଲୋକଙ୍କୁ ଭକୁଆ ବନାଉଥିଲେ। ଯେଉଁମାନଙ୍କୁ ଖୋଜି ଖୋଜି ପୁଲିସ ମହାରାଷ୍ଟ୍ରରୁ ଷଣ୍ଢକୁ ଓଡ଼ିଶା ଆଣିଥିବା ସହିତ ୪ ଠକଙ୍କୁ ଗିରଫ କରିଛି।

ମହାରାଷ୍ଟ୍ରର ୪ ଜଣ ଯୁବକ ଗୋଟିଏ ଷଣ୍ଢ ଧରି ମାଲକାନଗିରି ସଦର ମହକୁମାରେ ପହଞ୍ଚିଥିଲେ। ସେମାନେ ପ୍ରଥମରେ ବିଭିନ୍ନ ଗାଁରେ ବୁଲି ଦୁର୍ବଳ ଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ପରେ ଷଣ୍ଢକୁ ଧରି ସେମାନଙ୍କ ପାଖରେ ପହଞ୍ଚୁଥିଲେ। ଷଣ୍ଢକୁ ପୂଜା କଲେ ସବୁ ମନସ୍କାମନା ପୂରଣ ହେବ ବୋଲି କହୁଥିଲେ। ସେମାନଙ୍କ କଥାକୁ ସହଜରେ ବିଶ୍ୱାସ କରିନେଉଥିଲେ ଲୋକମାନେ। ପୂଜା କରିବା ପରେ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗ ହୋଇଥିଲା।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଠକଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ଏ ସମ୍ପର୍କରେ ସେମାନେ ଜାଣି ଓଡ଼ିଶାରୁ ଫେରାର ହୋଇ ଯାଇଥିଲେ। ପରେ ପୁଲିସର ଏକ ଟିମ୍‌ ମହାରାଷ୍ଟ୍ର ଗଡଚୋରଲି ମହେଶ୍ୱରୀ କଲୋନୀରୁ ୪ ଠକଙ୍କୁ ଗିରଫ କରିଛି। ଏପରିକି ଷଣ୍ଢକୁ ଉଦ୍ଧାର କରି ଏକ ଟ୍ରକ୍‌ରେ ମାଲକାନଗିରି ଆଣିଛି। ଏବେ ଷଣ୍ଢକୁ ଗୋ’ଶାଳାରେ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।