ଏମିତି ପୁଅ କାହାକୁ ନ ମିଳୁ

କେନ୍ଦୁଝର (ପ୍ରଣୟ ପାଣି):  ନିଜ ସନ୍ତାନର ସୁଖ ପାଇଁ ବାପାମା’ ସବୁ କିଛି ତ୍ୟାଗ କରିପାରନ୍ତି। ଶେଷ ସମୟରେ ସନ୍ତାନ ସାହା ହେବ ବୋଲି ସବୁ ବାପାମା’ଙ୍କର ବିଶ୍ୱାସ ଥାଏ। ହେଲେ ନିଜ ଖୁସିରେ ବାଧା ଆସିଲେ ସନ୍ତାନମାନେ ବାପାମା’ଙ୍କୁ ରାସ୍ତାରୁ ହଟାଇଦେବା ପରି ଘଟଣା ବି ଘଟୁଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲର ଗାଢ଼ହଟିଂ ଅଞ୍ଚଳରେ ଘଟିଛି।

ନାବାଳକ ଥିବା ବେଳେ ବାପାକୁ ହତ୍ୟା କରିଥିବା ପୁଅ ଏବେ ନିଜ ମା’କୁ ଇଟାରେ ଛେଚି ମାରି ଦେଇଛି। ହତ୍ୟା ପଛର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ  କିଶୋର ମୁଣ୍ଡା। ତାକୁ ଗିରଫ କରିବା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶୋର ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲା। ଏହା ପରେ କୌଣସି କାରଣରୁ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କିଶୋର ତା’  ମା’ଙ୍କୁ ଇଟାରେ ଛେଚି ହତ୍ୟା କରିଥିଲା।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଅଭିଯୁକ୍ତକୁ ଗିରଫ କରିଥିଲା। କିଶୋର ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୨୦୧୨ରେ କିଶୋର ତା’ ବାପାଙ୍କୁ ହତ୍ୟା କରିଥିଲା। ଏଥିପାଇଁ ସଜା କାଟିବା ପରେ ଘରକୁ ଫେରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।