ପୁଣି ହାଜତ ମୃତ୍ୟୁ! ବ୍ରାଉନ୍‌ ସୁଗର କେସ୍‌ରେ ପୁଲିସ୍ ପିଟି ପିଟି ମାରିଥିବା ଅଭିଯୋଗ

ପାରାଦୀପ (ଓଡ଼ିଶା ରିପୋର୍ଟର): ପୁଲିସ୍ ହାଜତରେ ଯୁବକଙ୍କ ମୃତ୍ୟୁ। ଏହି ଗୁରୁତର ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ପାରାଦୀପର ଅଭୟଚାନ୍ଦପୁର ଥାନା ପୁଲିସ୍ ବିରୋଧରେ।

ମୃତ ଯୁବକଙ୍କ ନାଁ ମନୋରଞ୍ଜନ ଗେଡ଼ି। ସେ ସ୍ଥାନୀୟ ବୃନ୍ଦାବନ କଲୋନୀ ବସ୍ତିର ବାସିନ୍ଦା ଥିଲେ। ଗତକାଲି ସନ୍ଧ୍ୟାରେ ପୁଲିସ୍ ତାଙ୍କୁ ବ୍ରାଉନ୍‌ ସୁଗର କେସ୍‌ରେ ଫସାଇ ଉଠାଇ ନେଇ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ କହିଛି ମନୋରଞ୍ଜନଙ୍କ ମୃତ୍ୟୁ ସଂପୂର୍ଣ୍ଣ ଭାବେ ଦୁର୍ଘଟଣା ଜନିତ।

ମନୋରଞ୍ଜନଙ୍କ ବାପା ପ୍ରହ୍ଲାଦ ଗେଡ଼ି କହିଛନ୍ତି, ଗତକାଲି ସେ (ମନୋରଞ୍ଜନ) ଦିନ ସାରା ଘରେ ଥିଲା। ସନ୍ଧ୍ୟା ବେଳେ ତା’ର ଜଣେ ସାଙ୍ଗ ଆସିଥିଲା। ତା’ସହିତ ସେ କେଉଁଆଡ଼େ ଯାଇଥିଲା। କିନ୍ତୁ ରାତି ପ୍ରାୟ ୮ଟା ବେଳକୁ ଆମେ ଖବର ପାଇଲୁ ଯେ ତା’ର ଦୁର୍ଘଟଣା ଘଟିଛି। ପରେ ଜାଣିବାକୁ ପାଇଲୁ ତାକୁ ଜଗତସିଂହପୁର ହସ୍‌ପିଟାଲ୍‌ରେ ରଖାଯାଇଛି। ସେଠାରେ ପହଞ୍ଚି ଜାଣିଲୁ, ତା’ର ମୃତ୍ୟୁ ହୋଇସାରିଛି। ପୁଲିସ୍ କିନ୍ତୁ ଆମକୁ ସଙ୍ଗେ ସଙ୍ଗେ ପୁଅର ମୃତଦେହ ଦେଖିବାକୁ ଦେଇ ନଥିଲା। ପରେ ଯେତେବେଳେ ଆମେ ପୁଅର ମୃତଦେହ ଦେଖିଲୁ, ତା’ ନାକ ପାଖରୁ ରକ୍ତ ବୋହିଥିଲା। ତା’ ଦୁଇ କାନମୂଳ ଫୁଲି ଯାଇଥିଲା।

ମନୋରଞ୍ଜନଙ୍କ ଦାଦା କହିଛନ୍ତି, ଆମେ ସନ୍ଦେହ କରୁଛୁ ପୁଲିସ୍ ଆମ ପୁଅକୁ ପିଟି ପିଟି ମାରି ଦେଇଛି। ତା’ ନାଁରେ କୌଣସି ସ୍ଥାନରେ କେସ୍ ନାହିଁ। ଯଦି ଦୁର୍ଘଟଣା ଘଟିଥିଲା, ତାକୁ ସ୍ଥାନୀୟ ଡାକ୍ତରଖାନାରେ କାହିଁକି ଭର୍ତ୍ତି କରାଗଲା ନାହିଁ? ସେଠାରେ ଭର୍ତ୍ତି କରିଥିଲେ ସେମାନେ କଟକ କି ଜଗତସିଂହପୁରକୁ ରେଫର କରିଥା’ନ୍ତେ। କିନ୍ତୁ ତାହା ନକରି ପୁଲିସ୍ ସଙ୍ଗେ ସଙ୍ଗେ କାହିଁକି ତାଙ୍କୁ ଜଗତସିଂହପୁର ନେଇ ଗଲେ? ସେଥିପାଇଁ ପୁଲିସ୍ ଉପରେ ଆମର ସନ୍ଦେହ ହେଉଛି। ସେହିଭଳି ଡାକ୍ତରଖାନାରେ ଆମକୁ ସଙ୍ଗେ ସଙ୍ଗେ ମୃତଦେହ ଦେଖାଇ ଦେଲେନି। କହିଲେ ସବୁ କାମ ଶେଷ ହେବା ପରେ ଦେଖିପାରିବ। ପୁଣି ରାତାରାତି ଶବବ୍ୟବଚ୍ଛେଦ କରିଦେଲେ। ଆଉ ଗତକାଲି ରାତିରେ ହିଁ ପୁଲିସ୍ ଗାଡ଼ି ମୃତଦେହକୁ ଆଣି ଗାଁରେ ଛାଡ଼ିଥିଲା। ଏସବୁ କଥାକୁ ଦେଖି ଆମ ପୁଅକୁ ଥାନାରେ ପିଟି ପିଟି ମାରି ଦିଆଯାଇଥିବା ଆମେ ସନ୍ଦେହ କରୁଛୁ। ତେଣୁ ଆମକୁ ଉଚିତ୍ ନ୍ୟାୟ ଦେବାକୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ।

ଅନ୍ୟପକ୍ଷରେ ଅଭୟଚାନ୍ଦପୁର ଥାନା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି ଯେ ଏହା ଆଦୌ ହାଜତ ମୃତ୍ୟୁ ନୁହେଁ। ବ୍ରାଉନ୍‌ସୁଗର ଚାଲାଣ ହେଉଥିବା ନେଇ ଗତକାଲି ଆମେ ଖବର ପାଇଥିଲୁ। ସେଥିପାଇଁ ନାକାବନ୍ଦୀ କରି ଯାଞ୍ଚ ଚାଲିଥିଲା। ଏହି ସମୟରେ ମୃତକ ଓ ଅନ୍ୟ ଜଣେ ଯୁବକ ଏକ ବାଇକ୍‌ରେ ଆସୁଥିଲେ। ମୃତକ ବାଇକ ପଛରେ ବସିଥିଲେ। ପୁଲିସ୍‌କୁ ଦେଖି ସେ ବାଇକ୍‌ରୁ ଓହ୍ଲାଇ ଫେରାର ହୋଇଯିବାକୁ ପ୍ରୟାସ କରିଥିଲେ। ଏହି ସମୟରେ ଅନ୍ଧାରରେ ଏକ ପାଚେରୀରେ ସେ ପିଟି ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଜଗତସିଂହପୁର ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ସହିତ ଥିବା ଯୁବକଙ୍କ ପୁଲିସ୍ ଧରିଛି। ତାଙ୍କର କେମିତି ମୃତ୍ୟୁ କେମିତି ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ। ତେବେ ତାଙ୍କ ନାଁରେ ପୂର୍ବରୁ ଥାନାରେ କିଛି ମାମଲା ନଥିଲା।

ସୂଚନାଯୋଗ୍ୟ, ୨୦୨୦ ପୁରୀରେ ପୁଲିସ୍ ହେପାଜତରେ କେ. ରମେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିଲେ ଆଇଆଇସି ଜୀବନାନନ୍ଦ ଜେନା। ସେତେବେଳେ ସେ ପୁରୀରେ ଥିଲେ। ପୁଣି ଏବେ ଜଗତସିଂହପୁର ଏସ୍‌ପି ଅଛନ୍ତି ଅଖିଳେଶ୍ୱର ସିଂହ। ସେ ବି କେ. ରମେଶ ମୃତ୍ୟୁ ବିବାଦ ବେଳେ ପୁରୀ ଏସ୍‌ପି ଥିଲେ। ସେହି ଘଟଣା ପାଇଁ ସେ ବି ବିବାଦୀୟ ହୋଇପଡ଼ିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।