ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍: ବାପା, ଦୁଇ ଝିଅ ଓ ନାତି ମୃତ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଉପରେ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକମାନେ ହେଲେ- ଜୟରାମ ନାୟକ, ତାଙ୍କ ଦୁଇ ଝିଅ ରିଙ୍କି ନାୟକ ଓ ଲକ୍ଷ୍ମୀ ପାତ୍ର ଏବଂ  ନାତି ବିଶ୍ୱଜିତ ପାତ୍ର।

ଆଜି ଦିନ ପ୍ରାୟ ୧ଟା ସମୟରେ ଜୟରାମ ଦୁଇ ଝିଅ ଓ ନାତିକୁ ଧରି ମୁନିଗାଡ଼ିରୁ ଗାଙ୍ଗପୁର ଅଭିମୁଖେ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଇନ୍ଦନପୁର ନିକଟରେ ସେମାନଙ୍କ ବାଇକ୍‌କୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା। ଜୟରାମଙ୍କୁ ପିକ୍‌ଅପ୍‌ ଭ୍ୟାନ୍‌ଟି ଚାପି ଦେଇଥିଲା। ତାଙ୍କ ଦୁଇ ଝିଅ ଓ ନାତି ଛିଟିକି ପଡ଼ିଥିଲେ। ଜୟରାମ ଓ ତାଙ୍କ ଦୁଇ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ନାତି ବିଶ୍ୱଜିତ ପାତ୍ରଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।   

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।