ସାଙ୍ଗକୁ ଫାୟାରିଂ କରି ଯୁବକ ଫେରାର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଚ୍‌ ରାସ୍ତାରେ ସାଙ୍ଗକୁ ଗୁଳିମାଡ଼ କଲେ ଯୁବକ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହରର ଆର୍ତ୍ତକବିରାଜ ରୋଡ୍‌ରେ ଘଟିଛି ଏହି ଘଟଣା।

ଗୁଳିମାଡ଼ରେ ଆହତ ହୋଇଥିବା ଯୁବକ କମଳ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କମଳଙ୍କ ଆଖିରେ ଗୁଳିଟି ବାଜିଛି। ଘଟଣାପରେ କମଳଙ୍କ ସାଙ୍ଗ ତଥା ଅଭିଯୁକ୍ତ ସୁଜଲ୍ ଚୌଧୁରୀ ଫେରାର ହୋଇଯାଇଛି।

ଗତକାଲି ବିଳମ୍ବିତ ରାତିରେ କମଳ ଓ ସୁଜଲ୍ ଆର୍ତ୍ତକବିରାଜ ରୋଡ୍‌ରେ ବସି କଥା ହେଉଥିଲେ। ହଠାତ୍‌ କ’ଣ ହେଲା କେଜାଣି, କମଳଙ୍କ ଉପରକୁ  ଗୁଳିମାଡ଼ କରିଥିଲେ ସୁଜଲ୍। ଗୁଳିଟି କମଳଙ୍କ ଆଖିରେ ବାଜିଥିଲା। କମଳ ତଳେ ପଡ଼ିଯାଇଥିବା ବେଳେ ସୁଜଲ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ ଓ କମଳଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିବାର ଲୋକେ ଖବର ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ କମଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

କମଳଙ୍କୁ  ସୁଜଲ୍ କ’ଣ ପାଇଁ ଗୁଳିମାଡ଼ କଲେ, ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଏହାସହ ସୁଜଲଙ୍କୁ ଧରିବାକୁ ପୁଲିସ୍ ଚେଷ୍ଟା ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।