ଘର ଖାଲି କରିବାକୁ କହିଲେ ମାଲିକ, ମନା କରିବାରୁ ପଶିଲେ ବାଉନ୍ସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଅପରାହ୍ନରେ ଘର ଖାଲି କରିବାକୁ କହିଲେ ଘର ମାଲିକ । ମାତ୍ର ତୁରନ୍ତ ଛାଡ଼ି ପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଲେ ଭଡ଼ାଟିଆ। କିନ୍ତୁ ପରେ ତାଙ୍କୁ ଏହାର ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିଲା।

ଭଡ଼ାଟିଆଙ୍କ ଘରେ ପ୍ରାୟ ୪୦ରୁ ୫୦ ଅସାମାଜିକ ବ୍ୟକ୍ତି ଓ ବାଉନ୍ସର ପଶି ଭଙ୍ଗାରୁଜା କରିବା ସହ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଲହୁଲୁହାଣ ଅବସ୍ଥାରେ ଭଡ଼ାଟିଆ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୧୪ ଜଣଙ୍କୁ ଅଟକ ରଖିଛି। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଘଟଣା।

ଭୁବନେଶ୍ୱର ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଜଣେ ବ୍ୟବସାୟୀ ଘର ଭଡ଼ା ନେଇ ରହୁଥିବା ବେଳେ ଏପରି ଭାବେ ଘର ମାଲିକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

Gathering
ଥାନାରେ ଗହଳିର ଦୃଶ୍ୟ।

ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଏହି ଘରେ ଭଡ଼ାରେ ରହିଆସୁଥିଲେ । ହେଲେ ଗତକାଲି ଅପରାହ୍ଣରେ ତାଙ୍କୁ ଘର ଖାଲି କରିବାକୁ କହିଥିଲେ ମାଲିକ। କିନ୍ତୁ ସେ ତୁରନ୍ତ ଘର ଛାଡ଼ିପାରିବେ ନାହିଁ ବୋଲି କହିଥିଲେ।ଫଳରେ ପ୍ରାୟ ୫୦ ଲୋକ ତାଙ୍କ ଘରେ ଜୋରଜବରଦସ୍ତ ପଶିବା ସହ ଭଙ୍ଗାରୁଜା କରିଥିଲେ ।

ଥାନା ପରିସରରେ ଲୋକଙ୍କ ଗହଳି।ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗକାରୀ କହିଛନ୍ତି, ଆକ୍ରମଣକାରୀମାନେ ମୋର ସବୁ କାଗଜପତ୍ର, ଫାଇଲ ଓ ଜିନିଷପତ୍ର ନେଇଯାଇଛନ୍ତି। ମୋତେ ବାଡ଼ାବାଡ଼ି ବି କରିଛନ୍ତି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ୪୦ରୁ ୫୦ ଅସାମାଜିକ ଲୋକ ଓ ବାଉନ୍ସର ପଶି ଭଙ୍ଗାରୁଜା କରିଥିଲେ। ସିସିଟିଭି କ୍ୟାମେରା ଭାଙ୍ଗିଛନ୍ତି।  ତାଙ୍କର କିଛି ଜିନିଷ ନେଇଯାଇଛନ୍ତି। ଏହି ଘଟଣାରେ ନୟାପଲ୍ଲୀ ପୁଲିସ୍‌ ୧୪ଜଣଙ୍କୁ ଅଟକ ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।