ଆତ୍ମସମର୍ପଣ କରିଥିବା ଲୋକଙ୍କୁ ଚାଷ କରିବାକୁ ବାରଣ କଲା ମାଓ ସଂଗଠନ

mao-threatenମାଲକାନଗିରି: ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଗ୍ରାମବାସୀ ଚାଷ କରିପାରିବେ ନାହିଁ ବୋଲି ପ୍ରଜାକୋର୍ଟରେ ନିଷ୍ପତ୍ତି ନେଇଛନ୍ତି ମାଓବାଦୀ। ଏହାକୁ ନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗାଁରେ ଭୟ ଓ ଆତଙ୍କର ବାତାବରଣ ଦେଖାଯାଇଛି।

ବର୍ଷା ହେବା ପରେ ହଳ କରି ଜମି ପ୍ରସ୍ତୁତ କରି ଥିଲେ ଜନ୍ଦ୍ରାଗୁଡ଼ା ଗାଁ ଲୋକେ। ତେବେ ବିହନ ବୁଣିଲା ବେଳକୁ ଆସିଲା ମାଓବାଦୀଙ୍କ ନିର୍ଦ୍ଦେଶ- ‘ଜମିରେ ଚାଷ କରିପାରିବ ନାହିଁ।’ କାରଣ ସେମାନେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଏପରି ଧମକ ପାଇବା ପରେ ଦୋଛକିରେ ପଡ଼ି ଯାଇଛନ୍ତି ଗ୍ରାମବାସୀ। କାରଣ ଚାଷ ନ କଲେ ପେଟ ଚିନ୍ତା, ଆଉ ଚାଷ କଲେ ମାଓବାଦୀଙ୍କଠୁ ଜୀବନ ପ୍ରତି ବିପଦ।

ଗାଁର ନିଲାରାମ ମାଡ଼କାମୀ କହିଛନ୍ତି,“ମାଓବାଦୀ ଆମକୁ କହିଲେ ଯେ ତୁମେମାନେ ମାଲକାନଗିରି ଯାଇ ଆତ୍ମସମର୍ପଣ କରିଛ। ସରକାର ତୁମକୁ ଜମି ଦେଇଛନ୍ତି। ତୁମେ ସେଠି ଯାଇ ଚାଷ କର। ଏଠି ଚାଷ କରିପାରିବ ନାହିଁ। ଆମେ ଆମ ଜମିବାଡ଼ି ଏଠି ଛାଡ଼ି ସେଠାକୁ କେମିତି ଯିବୁ?”

ମାଥିଲି ଥାନା ଆଇଆଇସି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି,“ମାଓବାଦୀମାନେ ସାଧାରଣ ଲୋକଙ୍କ ସମର୍ଥନ ହରାଉଥିବାରୁ ହତୋତ୍ସାହିତ ହୋଇପଡ଼ିଛନ୍ତି। ତେଣୁ ସେମାନେ ଯେକୌଣସି ଉପାୟରେ ନିଜ ପତିଆରା ଜାହିର କରିବାକୁ ଉଦ୍ୟମ କରୁଛନ୍ତି।”

ଆଦିବାସୀ ଓ ପଛୁଆ ବର୍ଗଙ୍କୁ ସେମାନଙ୍କ ହକ୍ ଦେବା ଲାଗି ମାଓବାଦୀମାନେ ସଂଗ୍ରାମ କରୁଥିବା ଡିଣ୍ଡିମ ପିଟୁଛନ୍ତି। ତେବେ ଆଦିବାସୀମାନଙ୍କ ପ୍ରତି ସେମାନଙ୍କର କେତେ ଦରଦ ରହିଛି ତାହା ଜନ୍ଦ୍ରାଗୁଡ଼ା ଘଟଣାରୁ ସ୍ପଷ୍ଟ ହେଉଛି।