ନାରାୟଣପାଟଣା: ମାଓବାଦୀଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଗଲେ ଆଦିବାସୀ ଯୁବକ  

maoist-firing
ଘଟଣାସ୍ଥଳରେ ମାନୁଙ୍କ ବାଇକ୍ ପଡ଼ିଛି

ନାରାୟଣପାଟଣା: ମାଓବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଆଦିବାସୀ ଯୁବକ। ତାଙ୍କ ନାଁ ମାନୁ ନାଚିକା। ତାଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ଲାଉମାଳ ଗାଁରେ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ମାନୁ ବାଇକ୍ ଯୋଗେ ଲାଉମାଳରୁ ନାରାୟଣପାଟଣା ଯାଉଥିବା ବେଳେ ନାକଟିପଦର ଘାଟିରେ ମାଓବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କୌଣସି ମତେ ସେ ମାଓବାଦୀଙ୍କ ନଜରରୁ ଖସି ରାତି ସାରା ଜଙ୍ଗଲ ଭିତରେ ଲୁଚି ରହିଥିଲେ। ଆଜି ସକାଳେ ସେ ନାରାୟଣପାଟଣାକୁ ଫେରିଥିଲେ। ଗତ ଦୁଇ ବର୍ଷ ହେଲା ସେ ମାଓବାଦୀଙ୍କ ଭୟରେ ନାରାୟଣପାଟଣାରେ ରହି ଆସୁଛନ୍ତି। ଗତକାଲି ନିଜ ପରିବାର ଲୋକଙ୍କୁ ଭେଟିବାକୁ ଗାଁକୁ ଯାଇଥିଲେ।

ମାନୁ କହିଛନ୍ତି ଯେ ସେ ଗାଁକୁ ଯିବା ବେଳେ ମାଓବାଦୀମାନେ ଦେଖି ନେଇଥିଲେ। ତେଣୁ ଫେରିବା ବାଟରେ ସେମାନେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।  ୬ ଜଣ ମାଓବାଦୀଙ୍କ ହାତରେ ବନ୍ଧୁକ ଥିଲା। ବାକି ୧୧ ଜଣ ମାଓବାଦୀ ପୋଷାକ ପିନ୍ଧି ନ ଥିଲେ। ସେମାନେ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ। କିନ୍ତୁ ତାଙ୍କ ଦେହରେ ଗୋଟିଏ ବି ଗୁଳି ବାଜି ନ ଥିଲା। ମାଓବାଦୀମାନେ କାହିଁକି ତାଙ୍କୁ ଟାର୍ଗେଟ କରୁଛନ୍ତି ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ମାନୁ।

ସୂଚନାଯୋଗ୍ୟ, ଗତ ୧୫ ଓ ୧୬ ତାରିଖରେ ମାଓବାଦୀମାନେ ଏହି ଅଞ୍ଚଳରେ ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରି ଥିଲେ। ତା’ସହିତ ବୋରିଗି ପଞ୍ଚାୟତରେ ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଥିଲେ।

କିଛି ଦିନ ତଳେ କୋରାପୁଟ ଗସ୍ତରେ ଆସିଥିବା ବେଳେ ନୂଆ ଡିଜିପି କେ.ବି ସିଂହ କହିଥିଲେ ଯେ ମାଓବାଦୀମାନେ ସମର୍ଥନ ହରାଇଛନ୍ତି। ଫଳରେ ସେମାନେ ହତୋତ୍ସାହିତ ହୋଇଯାଇଛନ୍ତି। ଆଉ ହତୋତ୍ସାହିତ ହୋଇ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ଏନେଇ ମାଓବାଦୀଙ୍କୁ ଦୃଢ଼ ଜବାବ ଦିଆଯିବ।