ଜନସାଧାରଣଙ୍କ ମତାମତ ଅନୁସାରେ ହେବ ଶ୍ରୀମନ୍ଦିର ପରିଚାଳନାର ସଂସ୍କାର: ଜଷ୍ଟିସ ବି.ପି. ଦାସ
ପୁରୀ: ଜନସାଧାରଣଙ୍କ ମତାମତ ଅନୁସାରେ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଅଣାଯିବ। ଆଜି ପୁରୀରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ ବି.ପି. ଦାସ। ଏଥିଲାଗି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରହିବ ମତାମତ ବକ୍ସ।
ସେ କହିଛନ୍ତି,“ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ସତ୍ୟପାଠ ଜରିଆରେ ଏଥିରେ ମତାମତ ଦେଇପାରିବେ। ଏହାସହ ଇମେଲ ଓ କମିଶନଙ୍କ ୱେବ୍ସାଇଟ୍ରେ ବି ମତାମତ ଦେଇ ପାରିବେ। କେଉଁ କେଉଁ ବିଷୟରେ ଜନସାଧାରଣ ନିଜ ମତ ରଖିବେ ସେ ନେଇ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ।”
ଏନେଇ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଧି ବିଭାଗ ଉପସଚିବ, ଜିଲ୍ଲାପାଳ, ଏସ୍ପି ଓ ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ଜଷ୍ଟିସ ଦାସ।
ଏପରି ନିଷ୍ପତ୍ତିକୁ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ସେବାୟତମାନେ ସ୍ୱାଗତ କରିଛନ୍ତି।
ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି,“ମହାପ୍ରଭୁଙ୍କ ସବୁ କାର୍ଯ୍ୟ ଯଥା, ମହାପ୍ରସାଦ ପ୍ରଦାନ, ଭକ୍ତଙ୍କ ସହ ଭଲ ବ୍ୟବହାର, ନୀତିକାନ୍ତି ଓ ବିଭିନ୍ନ କାର୍ଯ୍ୟରେ ଆମର ସହଯୋଗ ରହିଛି।”
ଗତବର୍ଷର ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଓ ଚଳିତବର୍ଷ ନିଳାଦ୍ରୀବିଜେ ବିଶୃଙ୍ଖଳା ଦେଖାଯିବା। ଶ୍ରୀମନ୍ଦିର ପରିଚଳାନା ଓ ଦୈନଦିନ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଭବିଷ୍ୟତରେ ମହାପ୍ରଭୁଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ଭାବେ କରାଯାଇପାରିବ ସେଥିଲାଗି ନୀତି ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାର ଜଷ୍ଟିସ ବି.ପି. ଦାସଙ୍କ ଅଧ୍ୟକ୍ଷତାରେ ସଂସ୍କାର କମିଶନ ଗଠନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।