ମାଟ୍ରିକ୍‌ ପରୀକ୍ଷା ସମୟକୁ ନେଇ ବୋର୍ଡଠାରୁ ମତାମତ ଲୋଡ଼ିଛି ସରକାର

ଭୁବନେଶ୍ୱର: ଆସନ୍ତାବର୍ଷ ଫେବୃଆରୀରେ ମାଟ୍ରିକ୍‌ ପରୀକ୍ଷା ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ସେହି ମାସ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିଲା। ସେଥିପାଇଁ ମାଟ୍ରିକ୍‌ ପରୀକ୍ଷା ଘୁଞ୍ଚାଇବା ପାଇଁ ମତାମତ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବୋର୍ଡ କର୍ତ୍ତୃପକ୍ଷଙ୍କୁ କହିଥିଲେ। ବୋର୍ଡର ମତାମତ ମିଳିବା ପରେ ପରୀକ୍ଷା କେବେ ହେବ ସେ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ଆସନ୍ତା ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏହି ସମୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପରିଚାଳନାରେ ଶିକ୍ଷକଙ୍କୁ ନିୟୋଜିତ କରାଯିବ। ଏହାଛଡ଼ା ନିର୍ବାଚନ ସମୟରେ ସ୍କୁଲ ଘର ବ୍ୟବହାର ହେଉଥିବାରୁ ମାଟ୍ରିକ୍‌ ପରୀକ୍ଷା ଘୁଞ୍ଚାଇବାକୁ ବୋର୍ଡକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା।”