ପୁଣି ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ଆସନ୍ତା ବର୍ଷରୁ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। ସେଥିରେ ଓଏମ୍ଆର୍ ବ୍ୟବସ୍ଥା ରହିବନି। ଓଏମ୍ଆର୍ ବଦଳରେ ପରୀକ୍ଷାର୍ଥୀ ୧୦ ମାର୍କ ଲେଖାଏଁ ୫ ପ୍ରକାର ପ୍ରଶ୍ନର ଉତ୍ତର ଲେଖିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଏବେ ପିଲାମାନେ OMR ଢାଞ୍ଚାରେ ୫୦ ମାର୍କ ପରୀକ୍ଷା ଦେଉଛନ୍ତି। ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ବୋର୍ଡ ସଭାପତିଙ୍କ ନେତୃତ୍ୱରେ କମିଟି ଗଠନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଗଣଶିକ୍ଷା ସଚିବ, ଜଣେ ବା ୨ ଜଣ ଡିଇଓ  ଓ ୩ ଜଣ ଶିକ୍ଷାବିତଙ୍କ ସହିତ ୬ରୁ ୭ ଜଣ ସଦସ୍ୟ ରହିବେ। ଏହି କମିଟି ମାସକ ମଧ୍ୟରେ ରିପୋର୍ଟ ଦେବା ପରେ ମାଟ୍ରିକ ପରୀକ୍ଷା ପାଇଁ ନୂଆ ଢାଞ୍ଚାର ରୂପରେଖ ଚୂଡ଼ାନ୍ତ ହେବ।”