୨ ଟଙ୍କାରେ କେହି ନେଲେନି, ମାଗଣାରେ ବାଣ୍ଟିଦେଲେ

ପାଖାପାଖି ୩୦୦ କ୍ୱିଣ୍ଟାଲ ବିଲାତି ବାଣ୍ଟି ଦେଲେ ଚାଷୀ ଓ ବେପାରୀ

ବୀରମିତ୍ରପୁର (ରାକେଶ କୁମାର ସାହୁ): ରାଜଧାନୀ ଭୁବନେଶ୍ୱରରେ ବିଲାତି କିଲୋ ୧୫ ଟଙ୍କା ଉପରେ ରହିଛି। ମାତ୍ର ସେହି ବିଲାତିକୁ ଦୁଇ ଟଙ୍କାରେ କେହି ନେଉନାହାନ୍ତି। ତେଣୁ ଚାଷୀ ଓ ବେପାରୀମାନେ ବିଲାତିକୁ ମାଗଣାରେ ବାଣ୍ଟି ଦେଇଛନ୍ତି। ଆଜି ଏପରି ଚିତ୍ର ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଆଜି ଥିଲା ବୀରମିତ୍ରପୁର ସାପ୍ତାହିକ ହାଟ। ସେଥିପାଇଁ ବୀରମିତ୍ରପୁର ଓ ନୂଆଗାଁର ଚାଷୀ ଏବଂ ବେପାରୀମାନେ ବିଲାତି ଧରି ହାଟକୁ ବିକ୍ରି କରିବାକୁ ଆସିଥିଲେ। ବିଲାତି କିଲୋ ୨ ଟଙ୍କା ବିକିଲେ ମଧ୍ୟ କେହି ନେଲେ ନାହିଁ। ତେଣୁ ଚାଷୀମାନେ କିଛି ଉପାୟ ନପାଇ ବିଲାତିକୁ ବାଣ୍ଟିଦେଲେ। ହାଟକୁ ଆସିଥିବା ଲୋକମାନେ ସେହି ବିଲାତିକୁ ବୋହି ନେଉଥିବା ଦେଖିବାକୁ ମିଳିଛି। ପାଖାପାଖି ୩୦୦ କ୍ୱିଣ୍ଟାଲ ବିଲାତିକୁ ଚାଷୀ ଓ ବେପାରୀମାନେ ବାଣ୍ଟି ଦେଇଥିବା ଆଲୋଚନା ହେଉଛି।

ଚାଷୀ ମଙ୍ଗନ ଓରାମ କହିଛନ୍ତି-“ମୁଁ ୫ ଏକରରୁ ଅଧିକ ଜମିରେ ବିଲାତି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଛି। ବିଲାତିର ଠିକ୍‌ ଦାମ ମିଳୁନଥିବାରୁ ଆଉ ତୋଳୁନାହିଁ। ତେଣୁ କ୍ଷେତରେ ବିଲାତି ଷଢ଼ୁଛି। ବେପାରୀକୁ ବିଲାତି ବିକିଲେ ଟ୍ରେ ପିଛା ୩୦ ଟଙ୍କା ଦେବ ବୋଲି କହୁଛନ୍ତି।”

ପରିବା ବ୍ୟବସାୟୀ ସୁରେଶ ସାହୁ କହିଛନ୍ତି-“ବିଲାତି ଟ୍ରେ ପିଛା ୩୦ ଟଙ୍କାରେ କିଣୁଛୁ। ତାକୁ ହାଟରେ ୧୦ ଟଙ୍କାରେ ୨ରୁ ୩ କେଜି ଲେଖାଏ ବିକ୍ରି କରୁଛି। ଏହା ସତ୍ତ୍ୱେ ଗ୍ରହକମାନେ କିଣୁ ନାହାନ୍ତି। ଆଣିଥିବା ବିଲାତିକୁ ଫେରାଇ ନେବା ପରିବର୍ତ୍ତେ ଆମେ ମାଗଣାରେ ବାଣ୍ଟି ଦେଉଛୁ।”

ସୂଚନାରୁ ପ୍ରକାଶ, ବୀରମିତ୍ରପୁର ଓ ନୂଆଗାଁ ଅଞ୍ଚଳରେ ପ୍ରଚୁର ପରିମାଣରେ ପରିବା ଚାଷ ହେଉଛି। ହେଲେ ଚାଷୀଙ୍କ ପାଇଁ କୌଣସି କଲୋଡ୍‌ ଷ୍ଟୋରେଜ ନାହିଁ। ତେଣୁ ସେମାନେ କମ୍‌ ଦାମରେ ନିଜର କଷ୍ଟ ଉପାର୍ଜିତ ପରିବାକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଆଉ କିଛି ଚାଷୀ ମାଗଣାରେ ବାଣ୍ଟି ଦେଉଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।