୪ ଝିଅଙ୍କ ଆଶାର ଦୀପକୁ ଲିଭାଇଦେଲା ଦଇବ

ବାଲେଶ୍ୱର (ରଣଜିତ ପାକଳ): ୪ ଦିବ୍ୟାଙ୍ଗ ଝିଅଙ୍କ ପାଇଁ ସେ ଥିଲେ ଆଶାର ଦୀପ। ନିଜେ ଜଳି ଜଳି ପରିବାରକୁ କରୁଥିଲେ ଆଲୋକିତ। ହେଲେ ଆଜି ଦଇବ ହେଲା ନିଷ୍ଠୁର। ସବୁଦିନ ପାଇଁ ୪ ଝିଅଙ୍କ ମୁଣ୍ଡ ଉପରୁ ଉଠାଇ ନେଲା ପଣତ କାନି। ଏବେ ଏକଦମ୍‌ ଅସହାୟ ହୋଇପଡ଼ିଛନ୍ତି ୪ ଭଉଣୀ।

ବାଲେଶ୍ୱର ରେମୁଣା ବ୍ଲକ ଦୁମୁଦା ଗାଁର ହାରାମଣୀ ଯେନା। ପରିବାର କହିଲେ ସ୍ୱାମୀ ବଂଶୀ ଓ ୫ ଝିଅ। ବଡ଼ ଝିଅ ଦମୟନ୍ତିଙ୍କୁ ଛାଡ଼ି ଅନ୍ୟ ୪ ଜଣ ଜନ୍ମରୁ ମୁକ ଓ ବଧିର। ସେମାନେ ନା କଥା କହିପାରୁଛନ୍ତି ନା ଶୁଣିପାରୁଛନ୍ତି। ଦୁଃଖ କଷ୍ଟରେ ହାରାମଣୀ ବଡ଼ ଝିଅକୁ ବାହା କରାଇ ଦେଇଛନ୍ତି। ମାତ୍ର ମୁକ ଓ ବଧିର ୪ ଝିଅଙ୍କୁ ବାହା କରାଇପାରିଲେ ନାହିଁ। ସେମାନେ ତାଙ୍କ ପାଖରେ ରହିଥିଲେ। ଆ’ଘରେ ତା’ଘରେ କାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳାନ୍ତି ପୂରା ପରିବାର। ସେ ୪ ଝିଅଙ୍କ ମୁହଁରେ ଦାନା ଓ ଶଯ୍ୟାଶାୟୀଙ୍କୁ ସଞ୍ଜିବନୀ ଦେଉଥିଲେ। ହେଲେ ହଠାତ୍‌ ଦଇବ ନିଷ୍ଠୁର ହୋଇଗଲା। ୪ ଦିବ୍ୟାଙ୍ଗ ୫୦ ବର୍ଷୀୟ ଝିଅଙ୍କ ମୁଣ୍ଡ ଉପରୁ ଉଠିଗଲା ମମତାର ହାତ।

ଶୁକ୍ରବାର ବିଳମ୍ୱିତ ରାତିରେ ସ୍ୱାମୀ ଓ ୪ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ ହାରାମଣୀ। ମାଆକୁ ହରାଇବା ପରେ କିଛି କହିପାରୁନଥିବା ୪ ଭଉଣୀ ବାହୁନି ବାହୁନି କାନ୍ଦୁଛନ୍ତି। ପୁଅର କର୍ତ୍ତବ୍ୟ କରିବା ପାଇଁ ବାବାହିତ ବଡ଼ ଭଉଣୀ ଦମୟନ୍ତୀଙ୍କୁ ଜଣାଇଲେ। ଆଉ ଜନ୍ମଦାତ୍ରୀଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଲେ ଦମୟନ୍ତୀ। କାଳ ବିଳମ୍ୱ ନକରି ସାହି ଭାଇଙ୍କ ଉପସ୍ଥିତିରେ ୪ ଭଉଣୀ କୋକେଇ ବାନ୍ଧିଲେ। ତା’ପରେ ୪ ଭଉଣୀ ମାଆ ମୃତଦେହକୁ ଗାଁ ଶ୍ମଶାନକୁ ବୋହି ନେଲେ। ଦ୍ୱିତୀୟ ଭଉଣୀ ସୁକାନ୍ତୀ ମାଆ ଜୁଈରେ ନିଆଁ ଦେଇଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି। ମାତ୍ର ହାରାମଣୀଙ୍କ ମୁକ ଓ ବଧିର ୪ ଭଉଣୀଙ୍କ ପାଇଁ ସରକାର ଏକ ପ୍ରକାର ହାତ ଟେକିଦେଇଲା ପରି ମନେ ହେଉଛି। ସରକାରଙ୍କ ସବୁ ଯୋଜନାରୁ ଏମାନେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ସରକାରୀ ଯୋଜନା କହିଲେ ହାରାମଣୀଙ୍କୁ ଗୋଟିଏ ଇନ୍ଦିରା ଆବାସ ଯୋଜନାରେ ଘର ମିଳିଥିଲା। ଘର କରିବାକୁ କହି ଠିକାଦାର ଟଙ୍କା ଉଠାଇ ନେଇ ଚାଲିଗଲା। ତେଣୁ ଏବେ ୫ ପ୍ରାଣୀ କୁଟୁମ୍ୱ ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।